
ଭଦ୍ରକ, ୧୬ ଜୁଲାଇ (ହି.ସ.) - ଶିକ୍ଷାର ମନ୍ଦିରରୁ କଳାକାନା ବୁଲାଇଲେ ଚୋର।ବନ୍ତ ବ୍ଲକ ଆଗରପଡ଼ା ଥାନା ନୁଆପୋଖରି ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଠାରୁ ଆରମ୍ଭ କରି କମ୍ପ୍ୟୁଟର ରୁମ୍ ଏବଂ ଷ୍ଟୋର ରୁମ୍ ପର୍ଯ୍ୟନ୍ତ ସବୁଠି ତାଲା ଭାଙ୍ଗି ସର୍ବସ୍ୱ ଲୁଟି ନେଇଛନ୍ତି ଦୁର୍ବୃତ। ମିଳିଥିବା ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଦୁର୍ବୁତ ମାନେ ମୁଖ୍ୟ ଫାଟକ,କମ୍ପ୍ୟୁଟର ଗୃହ ଏବଂ ମଧ୍ୟାହ୍ନ ଭୋଜନ ଗୃହର ଚାବି ଭାଙ୍ଗି ସମସ୍ତ ସାମଗ୍ରୀ ଲୁଟି ନେଇଛନ୍ତି। ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ଚୋରି ହୋଇଥିବା ସାମଗ୍ରୀ ଗୁଡ଼ିକ ମଧ୍ୟରେ ୩ଟି କମ୍ପ୍ୟୁଟର ମନିଟର, ଏକ ପ୍ରିଂଟର, ମାଉସ, ଇନଭର୍ଟର, କାନ୍ଥ ଘଂଟା, ୯୦ କେଜି ଚାଉଳ, ଗ୍ରୋଷରି ସାମଗ୍ରୀ, ପ୍ରେସର କୁକର, କତା ଓ ଗୋଟିଆ ଭଳି ଅନେକ ଆନୁଷଙ୍ଗିକ ଚୋରି ହୋଇଛି। ଏନେଇ ପ୍ରଧାନଶିକ୍ଷକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ