
ଭଦ୍ରକ, ୧୬ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ଶ୍ୟାମପୁର ମୌଜାର ଖାତା ନଂ-୯୮୪, ପ୍ଲଟ ନଂ-୨୫୬୮ ଓ ୨୬୮୨ ଜମିକୁ ନେଇ ଚାଲିଥିବା ବିବାଦ ଉପରେ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ପ୍ରକାଶ ପାଇଛି। ଉକ୍ତ ଜମିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ କେତେକ ବ୍ୟକ୍ତି ବେଆଇନ ଦର୍ଶାଇ ଅଭିଯୋଗ ଆଣିଥିଲେ, ଯାହାକୁ ଭିତି କରି ପୂର୍ବରୁ ପ୍ରଶାସନ ପକ୍ଷରୁ ଏକ ରିପୋର୍ଟ ଦାଖଲ କରାଯାଇଥିଲା। ଏ ନେଇ ବାସନ୍ତୀ ଦୁର୍ଗା ଟ୍ରଷ୍ଟ ପକ୍ଷରୁ ସଭାପତି କୈଳାଶ ମହାପାତ୍ର ଓ ସମ୍ପାଦକ ନାରାୟଣ ଚନ୍ଦ୍ର ମହାପାତ୍ର ଅଭିଯୋଗ କରିଥିଲେ।ତେବେ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ରାଜସ୍ୱ ନିରୀକ୍ଷକ ଏବଂ ରାଜସ୍ୱ ସୁପରଭାଇଜର ଙ୍କ ଦ୍ୱାରା ମିଳିତ ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟ ରୁ ଜଣାପଡିଛି ଯେ, ଉକ୍ତ ଜମି 'ବାସନ୍ତୀ ଠାକୁରାଣୀ ବିଜେ ନିଜଗଡ଼' ନାମରେ ରେକର୍ଡଭୁକ୍ତ। ଏହି ଜମିର ମାର୍ଫତଦାର ଭାବେ 'ମା' ବାସନ୍ତୀ ଦୁର୍ଗା ଟ୍ରଷ୍ଟ' କାର୍ଯ୍ୟ କରୁଛି। ଟ୍ରଷ୍ଟର ସଭାପତି ଓ ସମ୍ପାଦକଙ୍କ ଅନୁଯାୟୀ, କମିଟିର ସମସ୍ତ ସଦସ୍ୟଙ୍କ ମିଳିତ ନିଷ୍ପତି କ୍ରମେ ହିଁ ଏହି ନିର୍ମାଣ କାର୍ଯ୍ୟ କରାଯାଉଛି।ଅନ୍ୟପକ୍ଷରେ, ଧର୍ମେନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ଏହି ନିର୍ମାଣକୁ ବଳପୂର୍ବକ ଓ ବେଆଇନ ଦର୍ଶାଇ ଅଭିଯୋଗ କରିଥିଲେ। କିନ୍ତୁ, ପ୍ରଶାସନିକ ତଦନ୍ତ ଓ ଟ୍ରଷ୍ଟ କର୍ମକର୍ତାଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି ଯେ, ନିର୍ମାଣ କାର୍ଯ୍ୟ ମାର୍ଫତଦାର ମାନଙ୍କ ମଧ୍ୟରେ ବୁଝାମଣା ଅନୁଯାୟୀ ଚାଲିଛି। ତେଣୁ, ଏହାକୁ ବେଆଇନ କହିବା ଯଥାର୍ଥ ନୁହେଁ ବୋଲି ରିପୋର୍ଟ ତହସିଲଦାର ଙ୍କୁ ପ୍ରଦାନ ପରେ ଏହି ଘଟଣା କ୍ରମକୁ ନେଇ ଧାମନଗର ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନମ୍ୱର୍ ୩୬୪୪/୨୬ ତା ୧୩/୭/ ୨୬ ରିଖରେ ଭଦ୍ରକ ଉପ-ଜିଲ୍ଲାପାଳଙ୍କୁ ଏକ ସବିଶେଷ ରିପୋର୍ଟ ପ୍ରଦାନ କରାଯାଇଛି। ପୂର୍ବରୁ ଦାଖଲ କରାଯାଇଥିବା ରିପୋର୍ଟକୁ ପ୍ରତ୍ୟାହାର କରି ନୂତନ ତଥ୍ୟ ଆଧାରିତ ମିଳିତ ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଫଳରେ, ଶାନ୍ତିଶୃଙ୍ଖଳା ଭଙ୍ଗ ହେବାର ଆଶଙ୍କା ନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସମସ୍ତ ଙ୍କ ସହଯୋଗରେ ମା ବାସନ୍ତୀ ଦୁର୍ଗା ଙ୍କ ଉନ୍ନୟନ କାର୍ଯ୍ୟ ଚାଲିଛି ବୋଳି ଟ୍ରଷ୍ଟ ର ସମ୍ପାଦକ ନାରାୟଣ ଚନ୍ଦ୍ର ମହାପାତ୍ର କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ