ରଥଯାତ୍ରାରେ ଅଘଟଣ : ଭିଡ଼ ଭିତରେ ୨ ଭକ୍ତଙ୍କ ମୃତ୍ୟୁ
ପୁରୀ/ଭୁବନେଶ୍ୱର, ୧୬ ଜୁଲାଇ (ହି.ସ)- ପୁରୀ ରଥଯାତ୍ରା ବେଳେ ବଡଦାଣ୍ଡରେ ଘଟିଛି ଅଘଟଣ। ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସତ୍ୱେ ଭିଡ ଭିତରେ ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସରକାର ଏନେଇ ସ୍ଫଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ପ୍ରେସ୍ ବିଜ୍ଞପ୍ତି
ରଥଯାତ୍ରାରେ ଅଘଟଣ : ଭିଡ଼ ଭିତରେ ୨ ଭକ୍ତଙ୍କ ମୃତ୍ୟୁ


ପୁରୀ/ଭୁବନେଶ୍ୱର, ୧୬ ଜୁଲାଇ (ହି.ସ)- ପୁରୀ ରଥଯାତ୍ରା ବେଳେ ବଡଦାଣ୍ଡରେ ଘଟିଛି ଅଘଟଣ। ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସତ୍ୱେ ଭିଡ ଭିତରେ ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସରକାର ଏନେଇ ସ୍ଫଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଅତ୍ୟଧିକ ଭିଡ଼ ଓ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଦିନସାରା କ୍ଲାନ୍ତି, ଜଳଶୂନ୍ୟତା, ଶ୍ୱାସରୁଦ୍ଧ ଓ ଅନ୍ୟାନ୍ୟ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାର କିଛି ଅଘଟଣ ଦେଖାଯାଇଥିଲା। ରଥଯାତ୍ରା ସମୟରେ ସାତଜଣ ଭକ୍ତ ଅସୁସ୍ଥ ହୋଇପଡ଼ିଥିଲେ ଓ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୦ ବର୍ଷ ଉର୍ଦ୍ଧ୍ୱ ଜଣେ ପୁରୁଷ ଭକ୍ତଙ୍କ ଦୁର୍ଭାଗ୍ୟବଶତଃ ମୃତ୍ୟୁ ଘଟିଥିଲା ଓ ମୃତ୍ୟୁର ସଠିକ କାରଣ ନିର୍ଣ୍ଣୟ ପାଇଁ ପଦକ୍ଷେପ ନିଆଯାଉଛି।ଏହା ସହ ଅନ୍ୟ ଏକ ଅଲଗା ଘଟଣାରେ ୩୫ ବର୍ଷ ଉର୍ଦ୍ଧ୍ୱ ଜଣେ ପୁରୁଷ ଭକ୍ତ ହୃଦ୍ ଘାତର ଶୀକାର ହୋଇଥିଲେ। ତୁରନ୍ତ ଚିକିତ୍ସା ସତ୍ୱେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ସହ ଅନେକ ଭକ୍ତ ଲଗାତାର ବର୍ଷାଜନିତ ଅସୁସ୍ଥତାରେ ପଡ଼ିଥିଲେ, ଯେଉଁମାନଙ୍କୁ ହସ୍ପିଟାଲରେ ଚିକିତ୍ସା ପରେ ଡିସଚାର୍ଜ କରା ଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ବ୍ୟତୀତ ସମଗ୍ର ଉତ୍ସବ ଶାନ୍ତିପୂର୍ଣ୍ଣ, ସୁସଂଘଟିତ ଓ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଭିଡ଼ ନିୟନ୍ତ୍ରଣରେ କୌଣସି ବ୍ୟାଘାତ ଘଟିନଥିଲା।

ମୁଖ୍ୟମନ୍ତ୍ରୀ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ବିଶ୍ୱବିଖ୍ୟାତ ରଥଯାତ୍ରା ୨୦୨୬ ଆଜି ପୁରୀରେ ଅତ୍ୟଧିକ ଧାର୍ମିକ ଉତ୍ସାହ, ଭକ୍ତିଭାବ ଓ ସୁସଂଘଟିତ ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ଭବ୍ୟ ଭାବେ ଆୟୋଜିତ ହୋଇଛି। ଦିନ ତମାମ ଲଗାତାର ବର୍ଷା ଓ ବିପରୀତ ପାଗ ପରିସ୍ଥିତି ସତ୍ୱେ ଏହି ଉତ୍ସବରେ ଓଡ଼ିଶା, ଦେଶ ଓ ବିଦେଶରୁ ପ୍ରାୟ ୮ ରୁ ୯ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା ,ଯାହା ଭକ୍ତମାନଙ୍କର ଅପାର ଆସ୍ଥାର ପ୍ରମାଣ ଅଟେ। ଉତ୍ସବ ସହ ସଂପୃକ୍ତ ସମସ୍ତ ପବିତ୍ର ନୀତି ନିୟମ, ସହିତ ତିନୋଟି ରଥ ଟଣା କାର୍ଯ୍ୟ ସୁଚାରୁ ଭାବେ ଓ ଯୋଜନାନୁଯାୟୀ ସମ୍ପନ୍ନ ହୋଇଛି। ଉତ୍ସବର ସଫଳ ଆୟୋଜନ ପାଇଁ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ଓ ବହୁସ୍ତରୀୟ ବ୍ୟବସ୍ଥା କରାଯାଇଥିଲା।

ପୂର୍ବରୁ ଯଥେଷ୍ଟ ପରିକଳ୍ପନା କରାଯାଇ ପୁଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ଓଡ୍ରାଫ , ଏନ୍ଡିଆରଏଫ , ପରିବହନ, ପୌର ପ୍ରଶାସନ, ଜଳ ଯୋଗାଣ, ଶକ୍ତି ବିଭାଗ ସହ ଅନ୍ୟାନ୍ୟ ସମ୍ବନ୍ଧିତ ବିଭାଗଙ୍କୁ ଏଥିରେ ସମ୍ମିଳିତ କରାଯାଇଥିଲା। ୨୪ ଘଂଟିଆ ନିରୀକ୍ଷଣ, ପ୍ରୟାପ୍ତ ସୁରକ୍ଷାବଳ ମୋତାୟେନ, ସିସିଟିଭି ବ୍ୟବସ୍ଥା, ଘୋଷଣା ପ୍ରଣାଳୀ, ଯାତାୟାତ ନିୟନ୍ତ୍ରଣ, ପରିଷ୍କାରତା, ପିଇବା ପାଣି, ଆପତ୍କାଳୀନ ସେବା ଓ ଚିକିତ୍ସା ସୁବିଧା ମାଧ୍ୟମରେ ଭକ୍ତମାନଙ୍କ ସୁରକ୍ଷିତ ଓ ସୁବିଧାଜନକ ଅଂଶଗ୍ରହଣ ସୁନିଶ୍ଚିତ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସେବାୟତମାନଙ୍କୁ ଧନ୍ୟବାଦ ଜଣାଇବା ସହ ଲକ୍ଷାଧିକ ଭକ୍ତଙ୍କ ଧୈର୍ଯ୍ୟ, ଶୃଙ୍ଖଳା ଓ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ, ଯାହା ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ସଫଳ କରିବାରେ ମୁଖ୍ୟ ଭୂମିକା ନେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande