ସାଇନବୋର୍ଡ଼ ବିନା ମଦ ବିକ୍ରିକୁ ନେଇ ବଢ଼ିଲା ସନ୍ଦେହ, ନିରପେକ୍ଷ ତଦନ୍ତ ଦାବି
Allegations against foreign liqire shop
ସାଇନବୋର୍ଡ଼ ବିନା ମଦ ବିକ୍ରିକୁ ନେଇ ବଢ଼ିଲା ସନ୍ଦେହ, ନିରପେକ୍ଷ ତଦନ୍ତ ଦାବି


ଝାରସୁଗୁଡ଼ା, ୧୭ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ନିକଟସ୍ଥ ଲମଟିବାହାଲ ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ଦୋକାନରେ ସାଇନବୋର୍ଡ଼ ବିନା ମଦ ବିକ୍ରି ହେଉଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ସନ୍ଦେହ ପ୍ରକାଶ ପାଇଛି।

ଅବକାରୀ ନିୟମ ଅନୁଯାୟୀ, ପ୍ରତ୍ୟେକ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ଦୋକାନର ନାମ, ଲାଇସେନ୍ସଧାରୀଙ୍କ ନାମ, ଲାଇସେନ୍ସ ନମ୍ବର ଓ ଲାଇସେନ୍ସର ବୈଧତା ସମ୍ପର୍କିତ ସୂଚନା ସ୍ପଷ୍ଟ ଭାବେ ସାଇନବୋର୍ଡରେ ପ୍ରଦର୍ଶିତ କରିବା ବାଧ୍ୟତାମୂଳକ। ସେହିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ବିକ୍ରି କରିବା ଏବଂ ଅନୁମୋଦିତ ପରିମାଣର ଷ୍ଟକ୍ ରଖିବା ମଧ୍ୟ ନିୟମର ଅଂଶ। ହେଲେ ଲମଟିବାହାଲ ଅଞ୍ଚଳର ଉକ୍ତ ଦୋକାନରେ କୌଣସି ସାଇନବୋର୍ଡ ନଥିବାରୁ ସାଧାରଣ ଲୋକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଲୁହା ଗ୍ରୀଲ୍ ପଛପଟୁ ଗୁପ୍ତ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଥିବାରୁ ଏହି ଦୋକାନ ବୈଧ ଭାବେ ପରିଚାଳିତ ହେଉଛି କି ନାହିଁ, ସେନେଇ ସ୍ଥାନୀୟ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ, ଉକ୍ତ ଦୋକାନ ଉପରେ ଅବକାରୀ ବିଭାଗର ଦୃଷ୍ଟି ନ ପଡ଼ିବାକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ପ୍ରଶ୍ନ, ଯଦି ଦୋକାନଟି ବୈଧ, ତେବେ ସାଇନବୋର୍ଡ କାହିଁକି ଲଗାଯାଇନାହିଁ ? ଅବକାରୀ ବିଭାଗ ବିନା ପରିଚୟରେ ଦୋକାନ ପରିଚାଳନା ପାଇଁ ଅନୁମତି ଦେଇଛି କି ? ଆଉ ଯଦି ଦୋକାନଟି ନିୟମବିରୋଧୀ ଭାବେ ଚାଲୁଛି, ତେବେ ଏପର୍ଯ୍ୟନ୍ତ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ? ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଝାରସୁଗୁଡ଼ା ଅବକାରୀ ଆରକ୍ଷୀ ଅଧୀକ୍ଷକ ପ୍ରଭାତ ସେଠୀଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ କଲ୍ ର ଉତ୍ତର ଦେଇନଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande