
ଝାରସୁଗୁଡ଼ା, ୧୭ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍ଙ୍କ ଅଦାଲତ ପରିସରକୁ ବୋମା ମାଡ଼ କରି ଉଡ଼ାଇ ଦେବା ନେଇ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ଶୁକ୍ରବାର କୋର୍ଟ ପରିସରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ସୂଚନା ପାଇବା ମାତ୍ରେ ପୁଲିସ, ବମ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁରଙ୍କ ସହାୟତାରେ ବ୍ୟାପକ ତଲାସୀ ଅଭିଯାନ ଚଳାଇଥିଲେ। ତେବେ ତଲାସୀ ସମୟରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବାରୁ କୋର୍ଟ ପରିସରକୁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଘୋଷଣା କରାଯାଇଛି।
ସୂଚନା ଅନୁଯାୟୀ, ଜିଲ୍ଲା ଜଜ୍ଙ୍କ ସରକାରୀ ଇ-ମେଲ୍ ଆଇଡିକୁ ଗତ ଗୁରୁବାର ଏକ ଅଜ୍ଞାତ ଇ-ମେଲ୍ ଆସିଥିଲା। ସେଥିରେ ଶୁକ୍ରବାର ଅପରାହ୍ନ ୧ଟା ୧୫ ମିନିଟ୍ ସମୟରେ ବିଚାରପତିଙ୍କ କାର୍ଯ୍ୟାଳୟ ଓ ଚାମ୍ବରରେ ଗ୍ୟାସ୍ ବୋମା ବିସ୍ଫୋରଣ କରାଯିବ ବୋଲି ଧମକ ଦିଆଯାଇଥିଲା। ଏହାସହ ବାହାରକୁ ଯିବା ସମୟରେ ନାକ ଓ ମୁହଁ ଘୋଡ଼ାଇ ରଖିବାକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା। ପ୍ରାଥମିକ ଭାବେ ଇ-ମେଲ୍ ଭାଷା ଦେଖି ଏହା ଓଡ଼ିଶା ବାହାରର କୌଣସି ସଂଗଠନ ପକ୍ଷରୁ ଅନୁବାଦ କରାଯାଇଥିବା ଭଳି ସନ୍ଦେହ କରାଯାଉଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ବାର୍ ଆସୋସିଏସନ୍ ପକ୍ଷରୁ ଆଇନଜୀବୀ, କୋର୍ଟ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ତୁରନ୍ତ କୋର୍ଟ ପରିସର ଖାଲି କରି ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରାଯାଇଥିଲା। ସେହିପରି ସୁରକ୍ଷା କର୍ମୀ ଓ ପ୍ରଶାସନକୁ ସହଯୋଗ କରିବାକୁ ମଧ୍ୟ ଆହ୍ୱାନ ଜଣାଯାଇଥିଲା।
ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର କହିଛନ୍ତି ଯେ, ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ପୁଲିସ ତୁରନ୍ତ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ବ୍ୟାପକ ତଲାସୀ ଚଳାଇଥିଲା। ତଲାସୀ ସମୟରେ କୌଣସି ବିସ୍ଫୋରକ କିମ୍ବା ଆପତ୍ତିଜନକ ବସ୍ତୁ ମିଳିନଥିବାରୁ କୋର୍ଟ ପରିସର ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଘୋଷଣା କରାଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଫମ୍ପା ଧମକ ବୋଲି ଜଣାପଡ଼ୁଥିବା ବେଳେ ଘଟଣାର ପ୍ରକୃତ ସତ୍ୟତା ଏବଂ ଇ-ମେଲ୍ ସାଇବର ଲିଙ୍କ୍ ଖୋଜିବା ପାଇଁ ସ୍ୱତନ୍ତ୍ର ପୁଲିସ ଟିମ୍ ତଦନ୍ତ ଆରମ୍ଭ କରିଛି। ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅଯଥା ଆତଙ୍କିତ ନ ହେବାକୁ ଅନୁରୋଧ କରାଯାଇଥିବା ବେଳେ ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ସାଇବର ଦିଗରୁ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ