ଦାରାସିଂହକୁ ମୁକ୍ତ କରିବା ନିଷ୍ପତିକୁ ସିପିଆଇର ନିନ୍ଦା
ଭୁବନେଶ୍ୱର, ୧୭ ଜୁଲାଇ (ହି.ସ)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ଓଡ଼ିଶା ରାଜ୍ୟ ପରିଷଦ ଅଷ୍ଟ୍ରେଲୀୟ କୁଷ୍ଠରୋଗୀ ସେବକ ଡ. ଗ୍ରାହାମ୍ ଷ୍ଟୁଆର୍ଟ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନିଷ୍ପାପ ନାବାଳକ ପୁଅଙ୍କୁ ଜିଅନ୍ତା ଜାଳି ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ଦାରା ସିଂହ ଓରଫ ରବୀନ୍ଦ୍ର ପାଲ୍
ଦାରାସିଂହକୁ ମୁକ୍ତ କରିବା ନିଷ୍ପତିକୁ ସିପିଆଇର ନିନ୍ଦା


ଭୁବନେଶ୍ୱର, ୧୭ ଜୁଲାଇ (ହି.ସ)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ଓଡ଼ିଶା ରାଜ୍ୟ ପରିଷଦ ଅଷ୍ଟ୍ରେଲୀୟ କୁଷ୍ଠରୋଗୀ ସେବକ ଡ. ଗ୍ରାହାମ୍ ଷ୍ଟୁଆର୍ଟ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନିଷ୍ପାପ ନାବାଳକ ପୁଅଙ୍କୁ ଜିଅନ୍ତା ଜାଳି ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ଦାରା ସିଂହ ଓରଫ ରବୀନ୍ଦ୍ର ପାଲ୍ ସିଂହଙ୍କୁ କାରାଗାରରୁ ମୁକ୍ତ କରିବା ପାଇଁ ବିଜେପି ନେତୃତ୍ୱାଧୀନ ମୋହନ ଚରଣ ମାଝୀଙ୍କ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ଦୃଢ଼ ଭାବେ ନିନ୍ଦା କରିଛି। ଦଳ କହିଛି ଯେ, ଏହି ପଦକ୍ଷେପ କେବଳ ନ୍ୟାୟ ବ୍ୟବସ୍ଥାରେ ଆଇନର ଶାସନର ମୂଳ ଭାବନାର ବିରୋଧୀ ନୁହେଁ, ବରଂ ରାଜ୍ୟର ଆଇନ ଶୃଙ୍ଖଳା ଓ ସାମ୍ପ୍ରଦାୟିକ ସଦ୍ଭାବ ପ୍ରତି ମଧ୍ୟ ଗରୁତର ଆହ୍ୱାନ ସୃଷ୍ଟି କରିବ।

ଅନେକ ବିଚାରାଧୀନ ବନ୍ଦୀ ବର୍ଷ ବର୍ଷ ଧରି ବିନା ବିଚାରରେ ବନ୍ଦୀ ଭାବେ କାରାଗାରରେ ଷଢ଼ୁଛନ୍ତି। ଏହା ଆମ ନ୍ୟାୟିକ ପ୍ରକ୍ରିୟାରେ ଥିବା ଗୁରୁତର ବୈଷମ୍ୟକୁ ସୂଚିତ କରୁଛି। ବିଲକିଶ ବାନୁ ଘଟଣାରେ ଆଜୀବନ ସଜାରେ ଦଣ୍ଡିତ ଅପରାଧୀମାନଙ୍କୁ ସମୟ ପୂର୍ବରୁ କାରାଗାରରୁ ମୁକ୍ତି ପାଇଁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଯେଭଳି ମହିମାମଣ୍ଡିତ କରି ସମ୍ବର୍ଦ୍ଧିତ କରାଗଲା ଓ ତା’ ପରବର୍ତୀ ଅବସ୍ଥାରେ ସୁପ୍ରିମ କୋର୍ଟ ରିଭ୍ୟୁ ପିଟିସନରେ ତା’ର ପୁନର୍ବିଚାର କରି ତାଙ୍କ ମତ ବଦଳାଇ ସେମାନଙ୍କୁ ପୁନଃ ଜେଲ୍ ପଠାଇଲେ, ଦାରା ସିଂହଙ୍କଭଳି ଜଣେ ପେଶାଦାର ଅପରାଧୀ କ୍ଷେତ୍ରରେ ସେଭଳି ଅବସ୍ଥା ସୃଷ୍ଟି ପୂର୍ବରୁ ମାନ୍ୟବର ସୁପ୍ରିମ କୋର୍ଟ ମାମଲାକୁ ଗୁରୁତ୍ୱର ସହ ବିଚାର କରିବାକୁ ସିପିଆଇ ଦାବି କରିଛି।

ଅନ୍ୟପକ୍ଷରେ, ଗ୍ରାହାମ ଷ୍ଟିୱାର୍ଟ ଷ୍ଟେନ୍ସ ହତ୍ୟାକାଣ୍ଡରେ ଆଜୀବନ କାରାଦଣ୍ଡ ପାଇଥିବା ଦାରା ସିଂହ ଓରଫ ରବୀନ୍ଦ୍ର ପାଲ ସିଂହ କେବଳ ଏହି ହତ୍ୟାକାଣ୍ଡର ଦୋଷୀ ନୁହଁନ୍ତି, ବରଂ ଅନେକ ହିଂସାତ୍ମକ ଆକ୍ରମଣରେ ମଧ୍ୟ ତାଙ୍କ ନାମ ଜଡ଼ିତ ରହିଛି। ସେ ଜଣେ ପେଶାଦାର ଅପରାଧୀ। ୧୯୯୯ ଅଗଷ୍ଟ ୨୬ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପଡ଼ିଆବେଡ଼ା ଗ୍ରାମର ସାପ୍ତାହିକ ହାଟରେ ବଜରଙ୍ଗ ଦଳ ସହ ଜଡ଼ିତ ଦାରା ସିଂହଙ୍କ ନେତୃତ୍ୱରେ ମୁସଲିମ୍ କପଡ଼ା ବ୍ୟବସାୟୀ ଶେଖ ରେହମାନଙ୍କୁ ନୃଶଂସ ଭବେ ହତ୍ୟା କରିଥିଲେ। ପ୍ରଥମେ ତାଙ୍କର ଉଭୟ ହାତ କାଟି ଦିଆଯାଇଥିଲା ଏବଂ ପରେ ତାଙ୍କୁ ଜିଅନ୍ତା ଜାଳିଦିଆଯାଇଥିଲା। ଏହାର କିଛିଦିନ ପରେ ୧୯୯୯ ସେପ୍ଟେମ୍ବର ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ଜାମବଣୀ ଗ୍ରାମରେ କ୍ୟାଥୋଲିକ ମିଶନାରୀ ଫାଦର ଅରୁଲ ଦୋସଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ତାଙ୍କ ଉପରେ ତୀର ମାଡ଼ କରାଯିବା ସହ ତାଙ୍କ ଚର୍ଚ୍ଚକୁ ନିଆଁ ଲଗାଇ ଦିଆଯାଇଥିଲା। ଏଭଳି ଜଣେ କୁଖ୍ୟାତ ପେଶାଦାର ଅପରାଧୀଙ୍କୁ ବିଜେପି ନେତୃତ୍ୱାଧୀନ ଓଡ଼ିଶା ସରକାର ନିକଟ ଭବିଷ୍ୟତରେ କାରାଗାରରୁ ମୁକ୍ତ କରିବାକୁ ଗୁପ୍ତ ମସୁଧା ଚଳାଇଛନ୍ତି।

ଓଡ଼ିଶା ଗତ ୨ ବର୍ଷ ଧରି ସାମ୍ପ୍ରଦାୟିକ ଓ ଜାତିଆଣ ଘୃଣା, ହିଂସା ଏବଂ ଭିଡ଼ହତ୍ୟା, ନାରୀ ନିର୍ଯାତନା ଯୋଗୁ ଗୁରୁତର ଆଇନଶୃଙ୍ଖଳା ସଙ୍କଟ ପାଇଁ ଦେଶ ବିଦେଶରେ ନିନ୍ଦିତ ହେଉଛି। ଏଭଳି ସମୟରେ ଅଭ୍ୟାସଗତ ଓ କୁଖ୍ୟାତ ଅପରାଧୀ ରବୀନ୍ଦ୍ର ପାଲସିଂହ ଓରଫ ଦାରା ସିଂହଙ୍କୁ ମୁକ୍ତ କରାଗଲେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଆହୁରି ଅସ୍ଥିର ଓ ବିସ୍ଫୋରକ ହୋଇଯିବ।

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ଓଡ଼ିଶା ରାଜ୍ୟ ପରିଷଦ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଓଡ଼ିଶା ସରକାରଙ୍କଠାରେ ଦୃଢ଼ତାର ସହ ଦାବି କରୁଛି ଯେ, ଦାରା ସିଂହଙ୍କୁ ତାଙ୍କ ଅପରାଧ ପାଇଁ ଦିଆଯାଇଥିବା ନ୍ୟାୟିକ ଦଣ୍ଡର ବିଚାର ଓ ଉଦ୍ଦେଶ୍ୟ ବିରୋଧରେ ସମୟ ପୂର୍ବରୁ କାରାଗାରରୁ ମୁକ୍ତ କରା ନ ଯାଉ। ଏପରି କୌଣସି ନିଷ୍ପତି ନ୍ୟାୟ ବ୍ୟବସ୍ଥା, ଆଇନର ଶାସନ ଉପରେ ଜନସାଧାରଣଙ୍କ ଅତୁଟ ବିଶ୍ୱାସକୁ ଗଭୀର ଭାବେ ଆଘାତ ପହଂଚାଇବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande