ଝାରସୁଗୁଡ଼ାରେ ଜୟ ହିନ୍ଦ କ୍ଲବର ୧୩ତମ ଫୁଟବଲ ଟ୍ରଫି ଉନ୍ମୋଚନ, ଫ୍ରେଣ୍ଡଲି ମ୍ୟାଚ୍ ଆୟୋଜିତ
Friendly football match in Jharsuguda
Friendly football match


ଝାରସୁଗୁଡ଼ା, ୧୭ ଜୁଲାଇ (ହି.ସ.)- ସ୍ଥାନୀୟ ମନମୋହନ ଏମ୍.ଇ. ସ୍କୁଲ ପଡ଼ିଆରେ ଜୟ ହିନ୍ଦ କ୍ଲବ ପକ୍ଷରୁ ଆୟୋଜିତ ୧୩ତମ ଫୁଟବଲ ଲିଗ୍-କମ୍-ନକ୍ଆଉଟ୍ ପ୍ରତିଯୋଗିତାର ଟ୍ରଫି ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏହି ଅବସରରେ ସରବାହାଲ ଜୟ ଜୱାନ କ୍ଲବ ଓ ବେହେରାପାଟ ଦଳ ମଧ୍ୟରେ ଏକ ରୋମାଞ୍ଚକର ଫ୍ରେଣ୍ଡଲି ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ପ୍ୟାରେ ଲାଲ ଶ୍ରୀବାସ୍ତବ, ବରିଷ୍ଠ ସାମ୍ବାଦିକ ବସନ୍ତ ଜେନା, ପ୍ରୀତମ ପଣ୍ଡା, ଜିଲ୍ଲା ଆଥଲେଟିକ୍ସ ଆସୋସିଏସନର କାର୍ଯ୍ୟକାରୀ ସଭାପତି ତପସ କୁମାର ରାୟ ଚୌଧୁରୀ ଓ ରାଜକୁମାର ଶର୍ମା ଉପସ୍ଥିତ ଥିଲେ। ଅତିଥିମାନେ ମିଳିତ ଭାବେ ଟ୍ରଫି ଉନ୍ମୋଚନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଜୟ ହିନ୍ଦ କ୍ଲବର ସଭାପତି ମୋହନ କୁମାର ମିଶ୍ରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ବାସୁଦେବ ସେଠୀ, ସମ୍ପାଦକ କାଜଲ ଗୁହା, ଉପସଭାପତି ରାଜୁ ଶ୍ରୀବାସ, ଭିଖାରୀ ମୁଣ୍ଡା, ଦଶରଥ ମୁଣ୍ଡା, ରାଧେଶ୍ୟାମ ସିଂହ, ବସନ୍ତ କୁମାର ମହାନ୍ତି, ବସନ୍ତ ଶ୍ରୀବାସ, ଶ୍ରୀନିବାସ ସେଠୀଙ୍କ ସହ କ୍ଲବର ବହୁ ସଦସ୍ୟ ଓ କ୍ରୀଡ଼ାପ୍ରେମୀ ଯୋଗଦେଇଥିଲେ। ଆୟୋଜକମାନେ କହିଛନ୍ତି, ଏହି ପ୍ରତିଯୋଗିତା ମାଧ୍ୟମରେ ଅଞ୍ଚଳରେ ଫୁଟବଲ ଖେଳର ପ୍ରସାର ସହ ଯୁବପିଢ଼ି ମଧ୍ୟରେ କ୍ରୀଡ଼ା ମନୋଭାବ ଓ ସୁସ୍ଥ ପ୍ରତିଯୋଗିତାର ଭାବନାକୁ ପ୍ରୋତ୍ସାହନ ଦିଆଯିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande