
ଝାରସୁଗୁଡ଼ା, ୧୭ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍ଙ୍କ ଅଦାଲତ ପରିସରରେ ବୋମା ବିସ୍ଫୋରଣ କରାଯିବ ବୋଲି ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ଶୁକ୍ରବାର କୋର୍ଟ ପରିସରରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରକୁ ଖାଲି କରାଯାଇଥିବା ବେଳେ ପୋଲିସ, ବମ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର ସହାୟତାରେ ବ୍ୟାପକ ତଲାସୀ ଅଭିଯାନ ଚଳାଇଛି ।
ସୂଚନା ଅନୁସାରେ, ଜିଲ୍ଲା ଜଜ୍ ଙ୍କ ସରକାରୀ ଇ-ମେଲ୍ ଠିକଣାକୁ ଏକ ଅଜ୍ଞାତ ବ୍ୟକ୍ତିଙ୍କ ପକ୍ଷରୁ ଧମକପୂର୍ଣ୍ଣ ବାର୍ତା ପଠାଯାଇଥିଲା । ଏଥିରେ ଅପରାହ୍ନ ୧ଟା ୧୫ ମିନିଟ୍ ସମୟରେ ବିଚାରପତିଙ୍କ କାର୍ଯ୍ୟାଳୟ ଓ ଚାମ୍ବରରେ ଗ୍ୟାସ୍ ବୋମା ବିସ୍ଫୋରଣ କରାଯିବ ବୋଲି ଉଲ୍ଲେଖ ଥିବା ସହ ବାହାରକୁ ଯିବା ସମୟରେ ନାକ ଓ ମୁହଁ ଘୋଡ଼ାଇବାକୁ ପରାମର୍ଶ ଦିଆଯାଇଥିଲା । ଏହି ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ତୁରନ୍ତ ସତର୍କ ହୋଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲେ । ଝାରସୁଗୁଡ଼ା ଜିଲ୍ଲା ବାର୍ ଆସୋସିଏସନ୍ ପକ୍ଷରୁ ସମସ୍ତ ଆଇନଜୀବୀ, କୋର୍ଟ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ତୁରନ୍ତ କୋର୍ଟ ପରିସର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରାଯାଇଥିଲା । ପରବର୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ରହିବା ସହ ପ୍ରଶାସନକୁ ସହଯୋଗ କରିବାକୁ କୁହାଯାଇଛି ।
ପୋଲିସ ସୂଚନା ଅନୁଯାୟୀ, ଧମକପୂର୍ଣ୍ଣ ଇ-ମେଲ୍ ଟି ଏକ ସନ୍ଦେହଜନକ ଇ-ମେଲ୍ ଆଇଡିରୁ ପଠାଯାଇଥିଲା । ଇ-ମେଲ୍ ର ଭାଷା ଓ ଶୈଳୀକୁ ନେଇ ମଧ୍ୟ ତଦନ୍ତକାରୀ ସଂସ୍ଥାମାନେ ଯାଂଚ୍ ଆରମ୍ଭ କରିଛନ୍ତି । ଘଟଣାର ପ୍ରକୃତ ସତ୍ୟତା, ଧମକ ପଛରେ ଥିବା ବ୍ୟକ୍ତି କିମ୍ବା ସଂଗଠନ ଏବଂ ସାଇବର ଲିଙ୍କ୍ ସମ୍ପର୍କରେ ତଦନ୍ତ ଚାଲିଛି । କୋର୍ଟ ପରିସରରେ ବମ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର ମୁତୟନ କରାଯାଇ ସମଗ୍ର ଅଂଚଳରେ ତଲାସୀ ଅଭିଯାନ ଜାରି ରହିଛି । ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ ସାମଗ୍ରୀ ମିଳିଥିବା ନେଇ ସରକାରୀ ଭାବେ ସୂଚନା ମିଳିନାହିଁ । ଏହି ପରିସ୍ଥିତିରେ ଅଯଥା ଗୁଜବକୁ ବିଶ୍ୱାସ ନ କରିବା ସହ ଆତଙ୍କିତ ନହେବାକୁ ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ