ସରକାର ଶ୍ରୀମୁଖକୁ ଶ୍ରୀହୀନ କରି ଦେଇଛନ୍ତି : ଭକ୍ତ
ଭୁବନେଶ୍ୱର, ୧୭ ଜୁଲାଇ (ହି.ସ)- ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପରିଚାଳନାରେ ବ୍ୟାପକ ତ୍ରୁଟି ହୋଇଥିବା ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି। କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ମହାପ୍ରଭୁ ଜଗନ୍ନାଥ ଓଡ଼ିଶାର ସମସ୍ତ ଜନତାଙ୍କ ଭାବାବେଗ ସହ ଜଡିତ
efer


ଭୁବନେଶ୍ୱର, ୧୭ ଜୁଲାଇ (ହି.ସ)- ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପରିଚାଳନାରେ ବ୍ୟାପକ ତ୍ରୁଟି ହୋଇଥିବା ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି। କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ମହାପ୍ରଭୁ ଜଗନ୍ନାଥ ଓଡ଼ିଶାର ସମସ୍ତ ଜନତାଙ୍କ ଭାବାବେଗ ସହ ଜଡିତ ଏବଂ ରଥଯାତ୍ରା ପର୍ବ ପାଇଁ କେବଳ ଓଡିଶାରୁ ନୁହେଁ ବିଦେଶରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ । କିନ୍ତୁ ଏଇ ସରକାର କ୍ରମାଗତ ଭାବରେ ତିନିବର୍ଷ ହେଲା ଜଗନ୍ନାଥଙ୍କ ପରିଚାଳନାରେ ଗୁରୁତର ତ୍ରୁଟି କରି ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମୁଖକୁ ଶ୍ରୀହୀନ କରି ଦେଇଛନ୍ତି ।

ଏ ବର୍ଷ ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରୁ ବିନା ଟାହିଆରେ ରଥାରୁଢ଼ ହେଲେ । ରଥଯାତ୍ରା ଓ ବାହୁଡ଼ାରେ ଟାହିଆ ବ୍ୟବହାର କରିବା ବାଧ୍ୟତାମୂଳକ ଶାସ୍ତ୍ରୀୟ ପରମ୍ପରା ରହି ଆସିଅଛି ଏବଂ ଶହ ଶହ ବର୍ଷ ଧରି ବିନା ବ୍ୟତିକ୍ରମରେ ଚାଲି ଆସିଅଛି । ଏହି ଗୁରୁତର ନୀତିକାନ୍ତି ତ୍ରୁଟି ସମସ୍ତ ରାଜ୍ୟବାସୀଙ୍କୁ ହତବାକ କରିବା ସହ ଅତ୍ୟନ୍ତ ବ୍ୟଥିତ କରିଛି । ମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ଜଣେ ସଚ୍ଚୋଟ ଓ ନିଷ୍ଠାବାନ ଆଇଏଏସ ଅଫିସର କିନ୍ତୁ କାହାର ପରାମର୍ଶ କ୍ରମେ ଶ୍ରୀ ଜଗନ୍ନାଥଙ୍କୁ ଟାହିଆ ପିନ୍ଧିବାରୁ ବଂଚିତ କରାଗଲା ! ଏଥିପାଇଁ ଶ୍ରୀ ପାଢ଼ୀ ଅନୁତପ୍ତ ହେବା ଉଚିତ ବୋଲି ଶ୍ରୀ ଦାସ କହିଥିଲେ।

ସେ ପୁଣି କହିଥିଲେ, ରଥଯାତ୍ରାେ ଭିଡ଼ ନିୟନ୍ତ୍ରଣରେ ସମ୍ପୂର୍ଣ ଫେଲ ମାରିଛି ସରକାର । ଦଳା ଚକଟାରେ ତିନିଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୫୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀ ଦଳଚକଟା ଘଟଣା ଘଟିନି କହିବା ସରକାରଙ୍କ ଅମାନବୀୟତା ଏବଂ ଉତରଦାୟିତ୍ୱହୀନତା ଦର୍ଶାଉଛି । ଶ୍ରୀ ଦାସ ବିଜେପି ସରକାରଙ୍କୁ ସମାଲୋଚନା କରି ପୁଣି କହିଛନ୍ତି ଯେ' ଏମାନେ ରାମଙ୍କ ନାମ ବ୍ୟବହାର କରି ରାମ ମନ୍ଦିର ଦାନ ଅଳଙ୍କାର ଓ ଅର୍ଥର ଲୁଟ କରିଛନ୍ତି, ବର୍ତମାନ ନଜର ଆମ ମହାପ୍ରଭୁଙ୍କ ଉପରେ । ରତ୍ନ ଭଣ୍ଡାର ରହସ୍ୟ ଖୋଲି ପାରିଲା ନାହିଁ । ଜଗନ୍ନାଥ ମନ୍ଦିର ପରିଚାଳନାର ସମସ୍ତ କ୍ଷେତ୍ରରେ ବିଭ୍ରାଟର ଅନୁସନ୍ଧାନ ହେବା ଉଚିତ।

ସଭାପତି ଶ୍ରୀ ଦାସ ରାଜ୍ୟବାସୀଙ୍କ ତରଫରୁ କଂଗ୍ରେସର ଦାବୀ ଉପସ୍ଥାପନ କରି କହିଛନ୍ତି ଯେ, ତିନିବର୍ଷର ରଥଯାତ୍ରା ପରିଚାଳନା ବିଭ୍ରାଟର ପରିଚାଳନା ପାଇଁ ଦାୟୀଥିବା ମନ୍ତ୍ରୀ ଓ ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ମୃତ ଓ ଆହତ ଭକ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯାଉ ।

ବିବୃତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଓପିସିସିର ବରିଷ୍ଠ ମୁଖପାତ୍ର ଆଡ଼ଭୋକେଟ ଲଲାଟେନ୍ଦୁ ଦାସ ,ମୁଖପାତ୍ର ଡଃ ଦେବାଶିଷ ଭୂୟାଁ ଓ ମୁଖପାତ୍ର ଜୟଶ୍ରୀ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande