
ପୁରୀ, ୧୭ ଜୁଲାଇ (ହି.ସ.)- ଘୋଷଯାତ୍ରାର ଦ୍ୱିତୀୟ ଦିନରେ ରଥ ଉପରେ ଶୁକ୍ରବାର ସକାଳୁ ଶ୍ରୀବିଗ୍ରହମାନଙ୍କ ଦୈନନ୍ଦିନ ନୀତିକାନ୍ତି ସମାପନ ପରେ ପୂର୍ବାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି । ଅପରାହ୍ନ ୧ଟା ୩୦ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପ୍ରଥମେ ଲାଗିଛି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଏହାପରେ ପହଂଚିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଘର୍ ଘର୍ ନାଦ କରି ଶରଧାବାଲି ଅଭିମୁଖେ ଗଡି ଚାଲିଛି । ରଥାରୁଢ଼ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିବା ଓ ରଥ ଟାଣିବା ପାଇଁ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଘଂଟ ଘଂଟା, ଶଙ୍ଖ, ବିଜେ କାହାଳୀର ଧ୍ୱନୀ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଛି ଗଗନ ପବନ । ଆଜି ରଥ ଉପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତି । ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ କରିବେ ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରର ବିଭିନ୍ନ ସ୍ଥାନ ସମେତ ବଡଦାଣ୍ଡ, ରଥ ଚାରିପାଖ, ସମୁଦ୍ର କୂଳ ଓ ରେଳଷ୍ଟେସନରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ