

ଝାରସୁଗୁଡ଼ା, ୧୭ ଜୁଲାଇ (ହି.ସ.)- କଣ୍ଢେଇକେଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁରଲୀପାଲିରୁ ସୁଖାସୋଢ଼ାକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ କାମ ପ୍ରାୟ ପାଞ୍ଚ ବର୍ଷ ଧରି ଅଧାରେ ଅଟକି ରହିଛି। ପ୍ରାୟ ୩ କିଲୋମିଟର ରାସ୍ତାରେ କେବଳ ମେଟାଲ ଓ ପଥର ପକାଇ କାମ ବନ୍ଦ କରାଯାଇଥିବାରୁ ସ୍ଥାନୀୟ ଲୋକେ ଦୀର୍ଘଦିନ ଧରି ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ପଡ଼ିଥିବା ମେଟାଲ ଓ ପଥର ଯୋଗୁଁ ପାଦେ ଚାଲିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି। ସୁଖାସୋଢ଼ା ଗ୍ରାମର ବିଦ୍ୟାଧର ପ୍ରଧାନ, ଟିକାରାମ ଭୋଇ, ପ୍ରହଲ୍ଲାଦ ସାହୁ, ଝାରୁ ସାହୁ, ହେମସାଗର ସାହୁଙ୍କ ସମେତ ଗ୍ରାମବାସୀଙ୍କ କହିବା ଅନୁସାରେ, ଶୀଘ୍ର ରାସ୍ତା ନିର୍ମାଣ କାମ ପୁନର୍ବାର ଆରମ୍ଭ ନହେଲେ ସେମାନେ ରାସ୍ତାରେ ପଡ଼ିଥିବା ମେଟାଲ ଉଠାଇ ନେବାକୁ ବାଧ୍ୟ ହେବେ। ସେମାନଙ୍କ କହିବା ହେଉଛି, ରାସ୍ତା ନିର୍ମାଣ କରାଯାଉ, ନଚେତ୍ ମେଟାଲ ହଟାଯାଉ; ଏଭଳି ପଥର ଗଦା କରି ଲୋକଙ୍କୁ ହଇରାଣ କରାଯିବା ଉଚିତ୍ ନୁହେଁ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ରାସ୍ତା କେଉଁ ବିଭାଗ ନିର୍ମାଣ କରୁଛି, କାହିଁକି କାମ ବନ୍ଦ ରହିଛି ଏବଂ କେବେ ସୁଦ୍ଧା ଶେଷ ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ଅଧାପନ୍ତରିଆ ରାସ୍ତା ଯୋଗୁଁ ଦୁର୍ଘଟଣାର ଆଶଙ୍କା ବଢ଼ିବା ସହ ପ୍ରତିଦିନ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହାର ପ୍ରଭାବରେ ଅସୁବିଧାରେ ପଡ଼ୁଛନ୍ତି। ଏପରି ସ୍ଥିତି ଜାରି ରହିଲେ ସ୍କୁଲକୁ ପିଲାମାନଙ୍କୁ ପଠାଇବେ ନାହିଁ ବୋଲି କିଛି ଅଭିଭାବକ ସତର୍କ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଏହି ସମସ୍ୟା ପ୍ରତି ନୀରବ ରହିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ। ଯଦି ଜମିଜମା କିମ୍ବା ଅନ୍ୟ କୌଣସି ସମସ୍ୟା ଯୋଗୁଁ କାମ ବନ୍ଦ ରହିଛି, ତେବେ ତାହାର ଶୀଘ୍ର ସମାଧାନ କରି ରାସ୍ତା ନିର୍ମାଣ କାମ ପୁନରାରମ୍ଭ କରିବାକୁ ସେମାନେ ଦାବି କରିଛନ୍ତି। ଏହି ରାସ୍ତା ସମ୍ପୂର୍ଣ୍ଣ ହୋଇଗଲେ ସୁଖାସୋଢ଼ାରୁ ମୁରଲୀପାଲି ମଧ୍ୟର ଦୂରତା ପ୍ରାୟ ୨ କିଲୋମିଟରକୁ ହ୍ରାସ ପାଇବ। ଫଳରେ ସ୍ଥାନୀୟ ଲୋକଙ୍କ ସହ ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ। ବର୍ତ୍ତମାନ ସେମାନଙ୍କୁ ସେମଲିଆ ଦେଇ ପ୍ରାୟ ୧୨ କିଲୋମିଟର ବୁଲି ଯାତାୟାତ କରିବାକୁ ପଡ଼ୁଛି। ତେଣୁ ଲୋକଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ଯଥାଶୀଘ୍ର ରାସ୍ତା ନିର୍ମାଣ କାମ ଶେଷ କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।
ଏ ସମ୍ପର୍କରେ ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଲେଙ୍କାଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ