
ଭୁବନେଶ୍ୱର, 17 ଜୁଲାଇ (ହି.ସ.)- ଭୁବନେଶ୍ୱର ଅଶୋକନଗରରେ ଥିବା ଶ୍ରୀଲେଦର ସୋ ରୁମରେ
ଅଗ୍ନିକାଣ୍ଡ। ଭୋର ୫ଟା ବେଳେ ସୋରୁମରୁ ଧୂଆଁ ବାହାରୁଥିବା ଦେଖି ଉପର ମହଲାରେ ଥିବା ଲଜ
କର୍ମଚାରୀ ମାଲିକଙ୍କୁ ଖବର ଦେଇଥିଲେ। ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।
ଘଟଣାସ୍ଥଳରେ ୩ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଯେପରି ଉପର ମହଲାକୁ ନ
ବ୍ୟାପିବ ସେନେଇ ପ୍ରୟାସ କରିଥିଲା ଅଗ୍ନିଶମ ବାହିନୀ। ନିଆଁ ଯୋଗୁଁ ସୋରୁମ ଭିତରେ ପ୍ରବଳ ଧୂଆଁ
ବାହାରିଥିଲା। ଫଳରେ ଉପର ମହଲାରେ ଥିବା କାଚ ଝରକାକୁ ଭାଙ୍ଗିଥିଲା ଅଗ୍ନିଶମ ବାହିନୀ। ତେବେ
ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନଥିଲେ ବି ତଳ ମହଲାରେ ଥିବା ବ୍ୟାଗ ସେକ୍ସନ ସମ୍ପୂର୍ଣ୍ଣ
ପୋଡି ପାଉଁଶ ହୋଇଯାଇଛି। ଲକ୍ଷାଧିକ ଟଙ୍କାର ସ୍କୁଲ ବ୍ୟାଗ, ଟ୍ରଲି ବ୍ୟାଗ, ବିଭିନ୍ନ ପ୍ରକାର ହ୍ୟାଣ୍ଡ ବ୍ୟାଗ ପୋଡିଯାଇଛି। ୫ଶହ
ରୁ ଅଧିକ ବ୍ୟାଗ ପଡିଥିବା ଅନୁମାନ କରାଯାଉଛି। ସେପଟେ ପାଣି ମାଡ଼ରେ ଅନ୍ୟ ସାମଗ୍ରୀ ମଧ୍ୟ ଓଦା
ହୋଇ ନଷ୍ଟ ହୋଇଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା