ରେଳବାଇ ବିଦ୍ୟୁତୀକରଣ ତମ୍ବା ତାର ଚୋରି ଘଟଣାର ପର୍ଦ୍ଦାଫାଶ : ୬ ଅଭିଯୁକ୍ତ ଗିରଫ, ୧୫୦ କେଜି ତମ୍ବା ତାର ଓ କାର୍ ଜବତ
Six arrested in banaharpali ps
Six arrested


ଝାରସୁଗୁଡ଼ା, ୧୮ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ବନହରପାଲି ପୋଲିସ ଏକ ସଂଗଠିତ ଆନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ କରି ବଡ଼ ସଫଳତା ହାସଲ କରିଛି। ରେଳବାଇ ବିଦ୍ୟୁତୀକରଣ କାର୍ଯ୍ୟରେ ବ୍ୟବହୃତ ଦାମୀ ତମ୍ବା ତାର ଚୋରି ଅଭିଯୋଗରେ ଗ୍ୟାଙ୍ଗର ମୁଖ୍ୟ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ପ୍ରାୟ ୨.୪୦ ଲକ୍ଷ ଟଙ୍କା ମୂଲ୍ୟର ୧୫୦ କିଲୋଗ୍ରାମ ତମ୍ବା ତାର, ଚୋରିରେ ବ୍ୟବହୃତ ଏକ ମାରୁତି ବାଲେନୋ କାର୍ ସହ ସାବଳ, ତାର କଟା ନିଆଲି, ଟାଙ୍ଗିଆ, ଛୁରୀ ଓ ବାଟୁଳି ଭଳି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ଗତ ଜୁଲାଇ ୧୪ ତାରିଖ ବିଳମ୍ବିତ ରାତି ପ୍ରାୟ ୩ଟା ୫୦ ମିନିଟ୍ ସମୟରେ ଡାଲଗାଁସ୍ଥିତ ସନସିଟି ଊର୍ଜା ପ୍ରାଇଭେଟ୍ ଲିମିଟେଡ୍ର ଷ୍ଟୋର ୟାର୍ଡରେ ୮ରୁ ୧୨ ଜଣ ସଶସ୍ତ୍ର ଦୁର୍ବୃତ୍ତ ପାଚେରୀ ଭାଙ୍ଗି ପ୍ରବେଶ କରିଥିଲେ। ସୁରକ୍ଷା କର୍ମୀଙ୍କ ଉପରକୁ ପଥର, ଇଟା ଓ କାଚ ବୋତଲ ଫିଙ୍ଗି ଆକ୍ରମଣ କରିବା ସହ ବିପୁଳ ପରିମାଣର ତମ୍ବା ତାର ଲୁଟି ନେବାକୁ ଉଦ୍ୟମ କରିଥିଲେ। ତେବେ କମ୍ପାନୀ କର୍ମଚାରୀଙ୍କ ତତ୍ପରତାରେ ଘଟଣାସ୍ଥଳରୁ ଦୁଇ ଜଣଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ।

ଏହି ଘଟଣାରେ ବନହରପାଲି ଥାନାରେ ମାମଲା ରୁଜୁ କରି ପୋଲିସ ବୈଜ୍ଞାନିକ ଏବଂ ବୈଷୟିକ ପ୍ରମାଣ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ ଚଢ଼ଉରେ ଗ୍ୟାଙ୍ଗର ମୁଖ୍ୟ ତଥା ସ୍କ୍ରାପ୍ ବ୍ୟବସାୟୀ ମନୋରଞ୍ଜନ ପ୍ରଧାନ ଓରଫ ପପୁଙ୍କ ସମେତ ପ୍ରଶାନ୍ତ ମାଝୀ, ନେତ୍ର ମାର୍ଡୀ, ରବି ବାର୍ଲା, ଡାକ୍ତର ସେଠ୍ ଓ ଦିନେଶ ହାତୀଙ୍କୁ ଗିରଫ କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ଗ୍ୟାଙ୍ଗର ମୁଖ୍ୟ ମନୋରଞ୍ଜନ ପ୍ରଧାନ ବିଭିନ୍ନ ଶିଳ୍ପାଞ୍ଚଳରେ ପୂର୍ବରୁ ରେକି କରି ଗ୍ୟାଙ୍ଗ ସଦସ୍ୟଙ୍କୁ ଚୋରି ପାଇଁ ନିୟୋଜିତ କରୁଥିଲେ। ପରେ ଚୋରି ହୋଇଥିବା ତମ୍ବା ତାରକୁ ସ୍କ୍ରାପ୍ ବଜାରରେ ବେଆଇନ ଭାବେ ବିକ୍ରି କରାଯାଉଥିଲା। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଗ୍ୟାଙ୍ଗ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଏଭଳି ଅନ୍ୟ ଚୋରି ଘଟଣାରେ ସେମାନଙ୍କ ସଂପୃକ୍ତି ରହିଛି କି ନାହିଁ, ସେନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବନହରପାଲି ପୋଲିସ ସୂଚନା ଦେଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande