
ଝାରସୁଗୁଡ଼ା, ୧୮ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ରେଙ୍ଗାଲବେଡା ବସ୍ଷ୍ଟାଣ୍ଡରୁ ଶିବମନ୍ଦିର ପର୍ଯ୍ୟନ୍ତ ବିସ୍ତୃତ ମୁଖ୍ୟ ରାସ୍ତା ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଫଳରେ ସାଧାରଣ ଲୋକଙ୍କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଥିବା ବେଳେ ବର୍ଷା ଋତୁରେ ସମସ୍ୟା ଆହୁରି ବଢି ଯାଇଛି। ଲଗାଣ ବର୍ଷା ଯୋଗୁଁ ରାସ୍ତାଟି କାଦୁଅରେ ପଚପଚ ହୋଇପଡ଼ିଥିବା ସହ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏହା ଫଳରେ ପଥଚାରୀ ଓ ଯାନବାହନ ଚାଳକମାନେ ନିତିଦିନ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଓ ଅସନ୍ତୋଷ ବଢ଼ିଚାଲିଛି।
ଏହି ସମସ୍ୟାକୁ ନେଇ ଅଞ୍ଚଳର ଅଗ୍ରଣୀ ସଂଗଠନ ‘ଆଞ୍ଚଳିକ ବିକାଶ ପରିଷଦ’ ଗଭୀର ଉଦ୍ବେଗ ପ୍ରକାଶ କରିଛି। ପରିଷଦର ସଭାପତି ଜିତେନ୍ଦ୍ରୀୟ ଧୁରୁଆ ଏବଂ ସାଧାରଣ ସମ୍ପାଦକ ସମ୍ବିତ ନାଏକ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାସ୍ତାର ସ୍ଥାୟୀ ମରାମତି ଓ ପୁନଃନିର୍ମାଣ ପାଇଁ ପ୍ରଶାସନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଦାବି ପୂରଣରେ ବିଳମ୍ବ ହେଲେ ଆଗାମୀ ଦିନରେ ଗଣଆନ୍ଦୋଳନ ଆରମ୍ଭ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ ସରକାରୀ ପ୍ରତିକ୍ରିୟା ଜାଣିବା ପାଇଁ ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ ଲେଙ୍କାଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ