
ଝାରସୁଗୁଡ଼ା, ୧୮ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସୋଢ଼ାମାଳ ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବାକୁ ଦାବି କରି ଗ୍ରାମବାସୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଶନିବାର କୋଲାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସରକାରଙ୍କ ପକ୍ଷରୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏହା ପାଇଁ ଉପଯୁକ୍ତ ସ୍ଥାନ ଓ ଜମିର ଆବଶ୍ୟକତା ରହିଛି। ସୋଢ଼ାମାଳ ଗ୍ରାମରେ ବିଦ୍ୟାଳୟ ଗୃହ ଓ ଖେଳପଡ଼ିଆ ନିର୍ମାଣ ପାଇଁ ଖାତା ନମ୍ବର–୫୦ ଅନ୍ତର୍ଗତ ପ୍ଲଟ୍ ନମ୍ବର–୧୬୬୨, ୫୫୫ ଓ ୧୬୭୯ରେ ପର୍ଯ୍ୟାପ୍ତ ସରକାରୀ ଜମି ଉପଲବ୍ଧ ରହିଛି। ସମ୍ପୃକ୍ତ ପଟ୍ଟାର ମନ୍ତବ୍ୟରେ ମଧ୍ୟ ଏହି ଜମି ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ବୋଲି ଉଲ୍ଲେଖ ଥିବାରୁ ଏଠାରେ ବିଦ୍ୟାଳୟ ସ୍ଥାପନ କରିବା ସବୁଦୃଷ୍ଟିରୁ ଉପଯୁକ୍ତ ବୋଲି ଗ୍ରାମବାସୀ ଦର୍ଶାଇଛନ୍ତି।
ଦାବିପତ୍ରରେ ଆହୁରି କୁହାଯାଇଛି ଯେ, ଗ୍ରାମରେ ଥିବା ପୁରୁଣା ବିଦ୍ୟାଳୟ କୋଠା ବର୍ତ୍ତମାନ ଜରାଜୀର୍ଣ୍ଣ ଓ ବିପଦଜନକ ଅବସ୍ଥାରେ ରହିଛି। ଏଣୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ଅନ୍ତର୍ଗତ ନୂତନ ସ୍ଥାନରେ ଆଧୁନିକ ଭିତ୍ତିଭୂମି ସହ ବିଦ୍ୟାଳୟ ନିର୍ମାଣ କରାଗଲେ ସ୍ଥାନୀୟ ଅଞ୍ଚଳର ଶିଶୁମାନେ ଉନ୍ନତ ଶିକ୍ଷା ସୁବିଧା ପାଇପାରିବେ।
ସୋଢ଼ାମାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଚନ୍ଦନ ପଟ୍ଟନାୟକ, ସମିତି ସଭ୍ୟା ନୀଳେନ୍ଦ୍ରୀ କାଲୋ, ୱାର୍ଡ ସଦସ୍ୟ ରୂପଧର ପରୁଆ ଓ ସାମଲ ନାଏକଙ୍କ ନେତୃତ୍ୱରେ ସଞ୍ଜିବ ବାହୁକ, ଗୁରୁଚରଣ ନାଏକଙ୍କ ସମେତ ବହୁ ଗ୍ରାମବାସୀ କୋଲାବିରା ବିଇଓ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିଇଓ ପ୍ରକାଶ ସାହୁଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ପ୍ରଶାସନ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ