ନୂତନ ଜୟପାଟଣା ଏନଏସି ଅଧ୍ୟକ୍ଷ ପଦ ପାଇଁ ତାଲିକା ପ୍ରକାଶ ପରେ ରାଜନୀତି ସରଗରମ
ମୁଖୀଗୁଡା ,୧୮ଜୁଲାଇ(ହି ସ)କଳାହାଣ୍ଡି ଜିଲ୍ଲାର ନୂତନ ଜୟପାଟଣା ଏନଏସି ପାଇଁ ଅଧ୍ୟକ୍ଷ ଆସନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସ୍ଥାନୀୟ ରାଜନୀତିରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ଗତ ୧୫ ତାରିଖରେ ରାଜ୍ୟର ୩୫ଟି ନୂଆ ମୁନିସିପାଲିଟି/ଏନଏସି ପାଇଁ ଅଧ୍ୟକ୍ଷ ଆସନ ସଂରକ୍ଷଣ ତାଲ
ନୂତନ ଜୟପାଟଣା ଏନଏସି ଅଧ୍ୟକ୍ଷ ପଦ ପାଇଁ ତାଲିକା ପ୍ରକାଶ ପରେ ରାଜନୀତି ସରଗରମ


ମୁଖୀଗୁଡା ,୧୮ଜୁଲାଇ(ହି ସ)କଳାହାଣ୍ଡି ଜିଲ୍ଲାର ନୂତନ ଜୟପାଟଣା ଏନଏସି ପାଇଁ ଅଧ୍ୟକ୍ଷ ଆସନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସ୍ଥାନୀୟ ରାଜନୀତିରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ଗତ ୧୫ ତାରିଖରେ ରାଜ୍ୟର ୩୫ଟି ନୂଆ ମୁନିସିପାଲିଟି/ଏନଏସି ପାଇଁ ଅଧ୍ୟକ୍ଷ ଆସନ ସଂରକ୍ଷଣ ତାଲିକା ଘୋଷଣା କରାଯାଇଛି, ଯେଉଁଥିରେ ଜୟପାଟଣା ଏନଏସି ଅଧ୍ୟକ୍ଷ ପଦବୀକୁ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରଖାଯାଇଛି।

ଏହି ଘୋଷଣା ପରେ ସମସ୍ତ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ପୂର୍ବ ପ୍ରସ୍ତୁତି ଓ ସମୀକରଣ ସମ୍ପୂର୍ଣ୍ଣ ବଦଳି ଯାଇଛି।ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଜୟପାଟଣା ଏନଏସି ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ କିମ୍ବା ପଛୁଆ ବର୍ଗ ପାଇଁ ରହିପାରେ। ସେହି ଅନୁସାରେ ବିଜେପି, ବିଜେଡି, କଂଗ୍ରେସ ଏବଂ ନୂଆ କରି ମୁଣ୍ଡ ଟେକିଥିବା ଜନତା କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଚୟନ ପାଇଁ ଭିତିରି ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ ଆସନଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ହେବା ପରେ ସମସ୍ତଙ୍କ ଯୋଜନା ଏବେ ରିଭର୍ସ ଗିୟର ଧରିଛି। ଏବେ ଉପଯୁକ୍ତ ପ୍ରାର୍ଥୀ ଖୋଜିବା ସମସ୍ତ ଦଳ ପାଇଁ ସବୁଠାରୁ ବଡ଼ ଆହ୍ୱାନ ।ଜୟପାଟଣା, ଖଇରମାଲ, ଚିର୍କା, କୁସୁମଖୁଣ୍ଟି ପଡ଼ା ଓ ବନମାଳିପୁରକୁ ନେଇ ଗଠିତ ଏହି ନୂଆ ଏନଏସିରେ ମୋଟ ୧୫ଟି ୱାର୍ଡ ରହିଛି। ଏଠାରେ ନିଜର ଦବଦବା ଜାହିର କରିବା ପାଇଁ ସମସ୍ତ ପ୍ରମୁଖ ନେତା ଫୋକସରେ ଅଛନ୍ତି।

ବିଜେପି ସାଂସଦ ନିଜ ଗଡ଼ ରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ସ୍ଥାନୀୟ ବିଜେଡି ବିଧାୟକ ନିଜର ସାଂଗଠନିକ ଶକ୍ତି ପ୍ରଦର୍ଶନ ପାଇଁ ଲାଗି ପଡ଼ିଛନ୍ତି।କଂଗ୍ରେସର ହାଇପ୍ରୋଫାଇଲ ନେତାମାନେ ମଧ୍ୟ ଏହି ଆସନକୁ ହାତେଇବାକୁ ଚେଷ୍ଟା କରୁଛନ୍ତି। ଜିଲ୍ଲାରେ ନୂଆ ପ୍ରତିଷ୍ଠା ଖୋଜୁଥିବା ଜନତା କଂଗ୍ରେସ ମଧୁ ମହାନ୍ତିଙ୍କ ନେତୃତ୍ୱରେ ଏହି ଏନଏସି ନିର୍ବାଚନରେ ନିଜର ଦୃଢ଼ ଉପସ୍ଥିତି ଜାହିର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।ସରକାରଙ୍କ ପକ୍ଷରୁ ପ୍ରକାଶିତ ଏହି ପ୍ରାଥମିକ ସଂରକ୍ଷଣ ତାଲିକା ଉପରେ ଯଦି କାହାର କିଛି ଆପତି ବା ଅଭିଯୋଗ ଥାଏ, ତେବେ ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ ଦିନମଧ୍ୟରେ କରିପାରିବେ। ଏହି ସମୟ ମଧ୍ୟରେ ଯଦି କୌଣସି ପରିବର୍ତ୍ତନ ନହୁଏ, ତେବେ ଏହି ସଂରକ୍ଷଣ ଆଧାରରେ ହିଁ ନିର୍ବାଚନ ଅନୁଷ୍ଠିତ ହେବ। ଜୟପାଟଣା ଏନଏସିର ପ୍ରଥମ ଅଧ୍ୟକ୍ଷ ନିର୍ବାଚନ ଏବେ ଏକ ପ୍ରତିଷ୍ଠାର ଲଢ଼େଇ ପାଲଟିଛି। ଯେଉଁ ଦଳ ସବୁଠାରୁ ଦକ୍ଷ ଏବଂ ଗ୍ରହଣୀୟ ଆଦିବାସୀ ଚେହେରାକୁ ପ୍ରାର୍ଥୀ କରିବ, ନିର୍ବାଚନର ଫଳାଫଳ ଉପରେ ତାହାର ଶତ ପ୍ରତିଶତ ପ୍ରଭାବ ପଡ଼ିବ। ଆଗାମୀ ଦିନରେ ଏହି ଚତୁର୍ମୁଖୀ ଲଢ଼େଇରେ କିଏ ବାଜି ମାରୁଛି, ତାହା ଦେଖିବାକୁ ବାକି ରହିଲା।

----------------

---------------

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande