ବ୍ରଜରାଜନଗରରେ ବିଜେଡିକୁ ଆଉ ଏକ ବଡ଼ ଝଟକା : ପୂର୍ବତନ ଉପନଗରପାଳ ଜୟନ୍ତ ଦୀକ୍ଷିତଙ୍କ ସହ ଶତାଧିକ କର୍ମୀ ବିଜେପିରେ ଯୋଗଦେଲେ
More than 100 bjd members join in bjp
Bjd leader join in bjp


ଝାରସୁଗୁଡ଼ା, ୧୮ ଜୁଲାଇ (ହି.ସ.)- ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡିକୁ ଆଉ ଏକ ରାଜନୈତିକ ଝଟକା ଲାଗିଛି। ବ୍ରଜରାଜନଗରର ପୂର୍ବତନ ଉପନଗରପାଳ ଜୟନ୍ତ ଦୀକ୍ଷିତ ଶୁକ୍ରବାର ତାଙ୍କର ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

କିଛିଦିନ ପୂର୍ବରୁ ଶ୍ରୀ ଦୀକ୍ଷିତ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ନିଜ ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଥିଲେ। ଏହି ଅବସରରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ କଳାହାଣ୍ଡି ସାଂସଦଙ୍କ ଉପସ୍ଥିତିରେ ଶ୍ରୀ ଦୀକ୍ଷିତଙ୍କୁ ଦଳରେ ସ୍ବାଗତ କରାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ରଘୁନନ୍ଦନ ପଣ୍ଡା ମଧ୍ୟ ତାଙ୍କ ସହ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏହାର ଦୁଇଦିନ ପୂର୍ବରୁ ବେଲପାହାଡ଼ ପୌର ପରିଷଦର ଉପାଧ୍ୟକ୍ଷାଙ୍କ ସମେତ ୧୦ ଜଣ କାଉନସିଲର ଏବଂ ୨୦୦ରୁ ଅଧିକ କର୍ମୀ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଏହି କ୍ରମାଗତ ଘଟଣା ବ୍ରଜରାଜନଗର ଅଞ୍ଚଳରେ ବିଜେଡି ପାଇଁ ଚ୍ୟାଲେଞ୍ଜ ବଢ଼ାଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande