
ପୁରୀ, ୧୮ ଜୁଲାଇ (ହି.ସ.)- ଆଜି ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତି । ସନ୍ଧ୍ୟା ପ୍ରାୟ ୫ଟା ପରେ ମହାପ୍ରଭୁଙ୍କର ଆଡ଼ପ ବିଜେ ନୀତି ଆରମ୍ଭ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଗୋଟି ପହଣ୍ଡିରେ ରଥରୁ ଆଡ଼ପ ମଣ୍ଡପକୁ ବିଜେ କରିବେ । ନବଦିନାତ୍ମକ ରଥଯାତ୍ରା ଉତ୍ସବରେ ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିରରେ ସପ୍ତାହେ ବ୍ୟାପୀ ଅବସ୍ଥାନ କରିବେ । ଜନ୍ମବେଦିରେ ଲୀଳା ରଚିବେ । ଯାହାକି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଅନ୍ୟ ଏକ ନିଦର୍ଶନ ।
ସକାଳୁ ଝିପି ଝିପି ବର୍ଷା ସତ୍ୱେ ଶରଧାବାଲିରେ ରଥାରୁଢ଼ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଘଂଟ ଘଂଟା, ଶଙ୍ଖର ଧ୍ୱନୀ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଉଠୁଛି ଗଗନ ପବନ । ପୁରି ଉଠୁଛି ଶରଧାବାଲି । ସକାଳୁ ରଥ ଉପରେ ଶ୍ରୀଜୀଉଙ୍କ ସକାଳ ଧୂପ ଅନୁଷ୍ଠିତ ହୋଇଛି । ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିଛି । ସନ୍ଧ୍ୟା ପ୍ରାୟ ୫ଟା ପରେ ମହାପ୍ରଭୁଙ୍କର ଆଡ଼ପ ବିଜେ ନୀତି ଆରମ୍ଭ ହେବ । ପରେ ରୁନ୍ଧା ନୀତି ବଢି ବଡ ସିଂହାର ବେଶ କରି ପହୁଡ କରିବା ସୂଚନା ରହିଛି । ମହାପ୍ରଭୁଙ୍କ ଆଡପ ବିଜେ ସରିବା ପରେ ଆସନ୍ତା କାଲି ଠାରୁ ଜନ୍ମ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ରବିବାର ଠାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ଉପଲବ୍ଧ ହେବ । ଆଡ଼ପ ମଣ୍ଡପରେ ବିଜେ କରିଥିବା ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି ।
ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଅପରାହ୍ନ ୩ଟା ସୁଦ୍ଧା ଲାଗିଥିଲା ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରର ବିଭିନ୍ନ ସ୍ଥାନ ସମେତ ବଡଦାଣ୍ଡ, ରଥ ଚାରିପାଖ, ସମୁଦ୍ର କୂଳ ଓ ରେଳଷ୍ଟେସନରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ