


ସମ୍ବଲପୁର, ୧୮, ଜୁଲାଇ (ହି.ସ.) ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବୁର୍ଲା ଥାନା ପୋଲିସ ଦୁଇଟି ଘରୁ ହୋଇଥିବା ଚୋରି ଘଟଣାର ସଫଳ ପର୍ଦ୍ଦାଫାସ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ବହୁ ପରିମାଣର ସୁନା ଓ ରୂପା ଅଳଙ୍କାର, ନଗଦ ଟଙ୍କା, ମୋବାଇଲ୍ ଫୋନ୍ ଏବଂ ଏକ ଲ୍ୟାପଟପ୍ ଜବତ କରାଯାଇଥିବା ଜଣାପଡିଛି । ବୁର୍ଲା ଥାନାରେ ୩୧୪/୨୬ରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ ଠିକାଦାର କଲୋନୀର ୩୫ ବର୍ଷିୟ ବାସିନ୍ଦା ବିଜେନ୍ଦ୍ର ରାଉତ ଥାନାରେ ଅଭିଯୋଗ କରିଥିଲେ । ଯେ, ଜୁଲାଇ ୧୬ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ସେ ପରିବାର ସହ ବୁର୍ଲା ଟାଉନରେ କାର୍ ଉତ୍ସବ ଦେଖିବାକୁ ଯାଇଥିବା ବେଳେ ଦୁର୍ବୃତ ମାନେ ଘରର ତାଲା ଭାଙ୍ଗି ସୁନା, ରୂପା ଅଳଙ୍କାର, ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଚୋରି କରିନେଇଥିଲେ। ତଦନ୍ତ ସମୟରେ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ପଚରାଉଚରା ବେଳେ ସେମାନେ ସେହିଦିନ ଠିକାଦାର କଲୋନୀର ସକ୍ଷମ କକ୍କଡ଼ଙ୍କ ଘରୁ ମଧ୍ୟ ତାଲା ଭାଙ୍ଗି ସୁନା, ରୂପା ଅଳଙ୍କାର, ଏକ ଏଚ୍ପି ଲ୍ୟାପଟପ୍ ଓ ୯ ହଜାର ଟଙ୍କା ନଗଦ ଚୋରି କରିଥିବା ସ୍ୱୀକାର କରିଥିଲେ। ପୋଲିସ ଏହି ମାମଲାରେ (୨୬), ଉଭୟ , ବୁର୍ଲା ବିଷ୍ଣୁମନ୍ଦିର ପଡ଼ା ଅଂଚଳର ମହମ୍ମଦ ରଫିକ ଓ ରୋହିତ କୁମାରକୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୧୭୦ ଗ୍ରାମ ସୁନା ଅଳଙ୍କାର, ୧ କିଲୋ ୬୭୭ ଗ୍ରାମ ରୂପା ଅଳଙ୍କାର, ୯,୧୦୦ ଟଙ୍କା ନଗଦ, ଏକ ଏଚ୍ପି ଲ୍ୟାପଟପ୍ (କ୍ୟାରି ବ୍ୟାଗ୍ ସହିତ) ଓ ଏକ ରେଡମି ଏମ୍ଆଇ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ