
ଜୟପୁର, ୧୮ ଜୁଲାଇ (ହି.ସ.)- ଓଡିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଜଣେ ଶିକ୍ଷକଙ୍କ ନାମରେ ଆସିଛି ସଂଗୀନ ଅଭିଯୋଗ l ଜୟପୁର ବ୍ଲକ ଜୟନ୍ତୀଗିରି ଓଡିଶା ଆଦର୍ଶ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ଉକ୍ତ ବିଦ୍ୟାଳୟର କମ୍ପୁଟର ଶିକ୍ଷକଙ୍କ ନାମରେ ବୋରିଗୁମ୍ମା ଥାନାରେ ଅଭଯୋଗ କରିଛନ୍ତି l ଗତ ୧୪ ତାରିଖ ଦିନ ବିଦ୍ୟାଳୟ ପରିସରରେ ସମ୍ପୃକ୍ତ ଶିକ୍ଷକ ଜଣକ ଉକ୍ତ ଛାତ୍ରୀଙ୍କୁ ଟଣା ଓଟରା କରିଥିବା ବେଳେ ପୂର୍ବରୁ ମଧ୍ୟ ୮ମ ଶ୍ରେଣୀରେ ପଢ଼ୁଥିବା ବେଳେ ଏହି ଶିକ୍ଷକଙ୍କ ପାଇଁ ସେ ବିଦ୍ୟାଳୟକୁ ବି ଆସୁନଥିବା ସେହି ଛାତ୍ରୀ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ବୋରିଗୁମ୍ମା ଏସଡ଼ିପିଓ ସତ୍ୟବ୍ରତ ଲେଙ୍କା ଏବଂ ବୋରିଗୁମ୍ମା ଥାନା ଅଧିକାରୀ ରାମାନନ୍ଦ ସାହୁ ବିଦ୍ୟାଳୟରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କମ୍ପୁଟର ଶିକ୍ଷକ ଜଣକ ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ l ଏହି କଥା କାହାକୁ କହିଲେ ମୁଁ ଏମିତି କରିଦେବି ତୁ କେଉଁ ବିଦ୍ୟାଳୟରେ ପାଠ ପଢିପାରିବୁ ନାହିଁ ବୋଲି ଧମକ ଦେଉଥିବା ଅଭିଯୋଗରେ ଉଲ୍ଲେଖ ରହିଛି l ଏନେଇ ବୋରିଗୁମ୍ମା ଏସଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି ଯେ, ଅଭିଯୋଗ ଆସିଛି l ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ରହିତଦାଶ ସେଠି କହିଥିଲେ ଯେ, ଛାତ୍ରୀଙ୍କ ଅବିଭାବକ ମାନେ ଆସିଥିଲେ l ପୋଲିସ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି l ପୋଲିସ ତଦନ୍ତ କରୁଛି ତଦନ୍ତ ପରେ ଜଣାପଡିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି