
ଜୟପୁର, ୧୮ ଜୁଲାଇ (ହି.ସ.)- କୋରାପୁଟ ଜିଲାରେ ଜଣେ ମାତ୍ର ଶିକ୍ଷକରେ ଚାଲିଛି ବିଦ୍ୟାଳୟ । ବାହାର ଜିଲାର ଶିକ୍ଷକ ଶିକ୍ଷୟତ୍ରି ନିଯୁକ୍ତି ପାଉଛନ୍ତି । ବର୍ଷେ କି ଦୁଇ ବର୍ଷ ରହି ସ୍ବାସ୍ଥ୍ୟଗତ ସମସ୍ଯା ଦେଖାଇ ନିଜ ଜିଲାକୁ ଚାଲିଯାଉଛନ୍ତି । ବିଗତ ଦିନରେ ଏହାକୁ ବିରୋଧ କରି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ସରକାରଙ୍କ ଉପରେ ବର୍ଷିଥିଲେ । ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ସର୍ବୋପରି ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ କାଉଡିଆଗୁଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ସମସ୍ୟାର ସମାଧାନ ହୋଇ ପାରୁନାହିଁ। କୁନ୍ଦୁରା ସଦର ମହକୁମା ସ୍ଥିତ ବିଇଓ ଅଫିସ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ଏହି ସ୍କୁଲ୍ ରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୪ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି । କିନ୍ତୁ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ପୁଣି ତାଙ୍କୁ ବିଏଲଓ ଦାଇତ୍ୱ ଦିଆଯାଇଛି l
ଶିକ୍ଷକ ସନ୍ତୋଷ କୁମାର ପ୍ରଧାନଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଏହି ବିଦ୍ୟାଳୟରେ ତାଙ୍କ ସହ ଜଣେ ଶିକ୍ଷୟତ୍ରୀ ସୁଶୀଳା ପାଣିଗ୍ରାହୀ କାର୍ଯ୍ୟରତ ଥିଲେ । ପ୍ରାୟ ଦୁଇ ମାସ ତଳେ ସେ ଶିକ୍ଷୟିତ୍ରୀଙ୍କ ଅବସର ପରେ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ । ଫଳରେ ଜଣେ ଶିକ୍ଷକ ସମସ୍ତ ଶ୍ରେଣୀର ପାଠପଢ଼ା ସହ ଅଫିସ କାମ, ମଧ୍ୟାହ୍ନ ଭୋଜନ ତଦାରଖ ଏବଂ ଅନ୍ୟାନ୍ୟ ଦାୟିତ୍ୱ ତୁଲାଉଛନ୍ତି । ଏନେଇ ଗ୍ରାମବାସୀ ବିଇଓଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ବିଶେଷ କରି ଶିକ୍ଷକ ଶ୍ରୀ ପ୍ରଧାନଙ୍କୁ କାଳିଆକାଦର ବିଏଲଓ ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ସେ କାଳିଆକାଦ ସମେତ ବନୁଗୁଡା, ମଜୁରୁଗୁଲା ଏବଂ କଦମଗୁଡାରେ ଥିବା ପ୍ରାୟ ୭୧୦ ଭୋଟରଙ୍କ ଏସଆଇଆର ଭଳି ଗୁରିତ୍ୱପୂର୍ଣ୍ଣ ସର୍ଭେ କରୁଛନ୍ତି l ଏଥିସହ ବିଦ୍ୟାଳୟରେ ପାଠପଢ଼ାରେ ବାଧାପ୍ରାପ୍ତ ହେଉଥିବା ବେଳେ ଅଫିସ କାମ, ମଧ୍ୟାହ୍ନ ଭୋଜନ ଭଳି ଅନ୍ୟାନ୍ୟ ଦାୟିତ୍ୱ ତୁଲାଇବା କଷ୍ଟସାଧ୍ୟ ହୋଇପଡିଛି l ଏଣୁ ସ୍ଥାନୀୟ ୱାର୍ଡମେମ୍ବର ନବୀନା ନାୟକ, ପୂର୍ବତନ ସରପଞ୍ଚ ମହେଶ୍ୱର ପେଣ୍ଠିଆ, ଗ୍ରାମବାସୀ ଡମୁ ପେଣ୍ଠିଆ ପ୍ରମୁଖ କାଉଡିଆଗୁଡା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀ କରିଛନ୍ତି l ନଚେତ ଅଗାମି ଦିନରେ ଆନ୍ଦାଳନ ହେବ ବୋଲି ଚେତାବନୀ ଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି