
କେନ୍ଦ୍ରାପଡ଼ା, ୧୮ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର କ୍ଷେତ୍ରାଧିପତି ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇ ଦୁଇଦିନ ବ୍ୟାପି ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ତୃତୀୟ ଦିବସରେ ରଥ ଉପରେ ଦିଅଁମାନଙ୍କ ନୀତି ପୂଜା ପାଳନ କରାଯିବା ଅପରାନ୍ତେ ଆଜି ରାତିରେ ଚତୁର୍ଦ୍ଧା ମୂର୍ତିଙ୍କୁ ଆଡ଼ପ ମଣ୍ଡପ ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ରାପଡ଼ାର ପରମ୍ପରା ଅନୁଯାୟୀ ଶ୍ରୀ ଗୁଣ୍ଡିଚା ଯାତ୍ରା ୨ ଦିନ ପାଳନ କରାଯାଇ ଥାଏ। ତୃତୀୟ ଦିବସ ରାତିରେ ଦିଅଁମାନଙ୍କୁ ପହଣ୍ଡି ବିଜେ କରାଯାଇ ଆଡ଼ପ ମଣ୍ଡପରେ ସ୍ଥାପନ କରାଯାଏ। ଚଳିତ ବର୍ଷ ବର୍ଷା ଲାଗି ରହିଥିଲେ ମଧ୍ୟ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରବଳ ସମାଗମ ସକାଳୁ ରାତି ପର୍ଯ୍ୟନ୍ତ ମାଉସୀ ମା ମନ୍ଦିର ଚକଡ଼ାରେ ଥିବା ରଥ ନିକଟରେ ଲାଗି ରହିଛି। ବିପରୀତ ପାଣିପାଗ ସତ୍ୱେ ଭକ୍ତମାନଙ୍କୁ ସୁବିଧାରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଶୃଙ୍ଖଳିତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨ଦିନ ହେଲା ଦିଅଁମାନେ ରଥାରୂଢ଼ ଥିବାରୁ ଅନ୍ନଭୋଗ ଲାଗି କରାଯାଇ ନାହିଁ। ତେବେ ଆଜି ରାତି ୯ଟାରେ ପହଣ୍ଡି ବିଜେ ଆରମ୍ଭ କରାଯାଇ ପ୍ରାୟ ୧୧ଟା ସୁଦ୍ଧା ଦିଅଁମାନଙ୍କୁ ଆଡ଼ପ ମଣ୍ଡପରେ ବିଜେ କରାଯିବାପରେ ଦିଅଁମାନଙ୍କର ମହାସ୍ନାନ ଓ ମନ୍ଦିର ରୋଷଘର ପ୍ରତିଷ୍ଠା ଅଗ୍ନି ସ୍ଥାପନ କରାଯାଇ ଦିଅଁମାନଙ୍କ ପାଇଁ ଅନ୍ନ ପ୍ରସାଦର ରନ୍ଧନ କାର୍ଯ୍ୟ ଆରମ୍ଭ କରାଯିବ ଓ ଅନ୍ନ ଭୋଗ ଲାଗି କରାଯାଇ ଅନ୍ୟ ସେବା ପୂଜା ଅନୁଷ୍ଠିତ ହେବ। ବିଳମ୍ବିତ ରାତିରେ ବଡ଼ ସିଂହାର ବେଶ କରାଯାଇ ଆଳତୀ ଉପରାନ୍ତେ ପୁଷ୍ପାଞ୍ଜଳୀ ସପର୍ମଣ ପରେ ମନ୍ଦିର ଶୋଧ କରାଯିବା କାର୍ଯ୍ୟକ୍ରମ ରହିଛି। ତେବେ ନିଭିଘ୍ନରେ ବଡ଼ ଠାକୁରଙ୍କ ଘୋଷ ଯାତ୍ରାର ପ୍ରଥମ ପର୍ଯ୍ୟାୟ ସମାପନ ହୋଇଥିବାରୁ ଭକ୍ତ ମହଲରେ ଆନନ୍ଦ ପ୍ରକାଶ ପାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି