
ପୁରୀ, ୧୯ ଜୁଲାଇ (ହି.ସ.)- ଶନିବାର ରାତି ଏଗାରଟା ପରେ ଚତୃର୍ଦ୍ଧା ମୂର୍ତ୍ତି ରଥ ଉପରୁ ଗୋଟି ପହଣ୍ଡିରେ ଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ବିଜେ କରିଛନ୍ତି | ଆଜି ନୀତିକାନ୍ତି ଶେଷ ହେବାପରେ ଭକ୍ତ ମାନଙ୍କୁ ଆଡପ ଦର୍ଶନ ଦେଉଛନ୍ତି ମହାବାହୁ | ଆଜି ଅପରାହ୍ନ ୨ଟା ପରେ ଭକ୍ତ ମାନେ ଆଡପ ଅଭଡ଼ା ପାଇପାରିବେ | ରାତିରେ ହେରାପଞ୍ଚମୀ ପାଇଁ ବନକ ଲାଗି ହେବେ ମହାପ୍ରଭୁ | ମହାପ୍ରଭୁଙ୍କ ପବିତ୍ର ଆଡ଼ପ ମଣ୍ଡପ ବିଜେ ନୀତି ଅତ୍ୟନ୍ତ ଶୃଙ୍ଖଳିତ, ସୁଚାରୁ ଓ ଭକ୍ତିମୟ ପରିବେଶରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ସମସ୍ତ ସେବକ ଭାଇମାନଙ୍କୁ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥା, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଓଡ଼ିଶା ପୋଲିସର ଅଧିକାରୀ ଓ କର୍ମଚାରୀମାନଙ୍କୁ, ସ୍ୱେଚ୍ଛାସେବୀ, ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏବଂ ସର୍ବୋପରି ଅଗଣିତ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ହୃଦୟଭରା ଧନ୍ୟବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ଉପରେ ତାଙ୍କର ଅସୀମ କୃପା ବର୍ଷା କରନ୍ତୁ ଏବଂ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ମଙ୍ଗଳମୟ କରନ୍ତୁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।
ଜନ୍ମବେଦୀରେ ମହାପ୍ରଭୁ । ଆଜିଠାରୁ ଆଡ଼ପ ଦର୍ଶନ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀଗୁଣ୍ଡିଚା ମନ୍ଦିରରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଆଜି ଅପରାହ୍ନରେ ବାହାରିବ ଆଡ଼ପ ଅଭଡ଼ା। ରାତିରେ ହେରାପଞ୍ଚମୀ ପାଇଁ ହେବ ଶ୍ରୀଜିଉଙ୍କ ବନକଲାଗି । | ରାତି ୯ ଟାରେ ବନକଲାଗି ପାଇଁ ଆଡପ ଦର୍ଶନ ବନ୍ଦ ରହିବ | ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ସୂଚନା ଦିଆଯାଇଛି ଯେ, ରବିବାର ରାତିରେ ବନକଲାଗି ନୀତି ଅନୁଷ୍ଠିତ ହେବ | ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତ୍ର ୯ଟା ଠାରୁ ବିଳମ୍ବିତ ରାତ୍ର ୩ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ବିଶ୍ୱାସ ରହିଛି କି, ମହାପ୍ରଭୁଙ୍କର ବର୍ଷ ତମାମ ରତ୍ନବେଦୀରେ ଯେତେ ଦର୍ଶନ କଲେ ବି ବର୍ଷକୁ ଥରେ ରଥଯାତ୍ରାରେ ଆଡପ ମଣ୍ଡପ ଦର୍ଶନ କଲେ ମହାପୁଣ୍ଯ ମିଳିଥାଏ । ମହାପ୍ରଭୁଙ୍କର ଆଡପ ଅଭଡା ପାଇବା ବି ଭାଗ୍ଯର କଥା । ତେବେ ଏଠାରେ ଆଉ ଏକ ପରମ୍ପରା ରହିଛି କି ଶ୍ରାଦ୍ଧ ଦେବାର ପରମ୍ପରା । ଇନ୍ଦ୍ରଦ୍ଯୁମ୍ନ ପୁଷ୍କରିଣୀରେ ସ୍ନାନ କରି ଗୁଣ୍ଡିଚା ମନ୍ଦିରରେ ଆଡପମଣ୍ଡପ ଦର୍ଶନ ପରେ ବ୍ରାହ୍ମଣଙ୍କୁ ଅଭଡା ଦେଲେ ପିତୃପୁରୁଷ ମୋକ୍ଷ ପ୍ରାପ୍ତି ହୁଅନ୍ତି । ତା' ସହ ମହାପ୍ରଭୁଙ୍କର ଏହା ହେଉଛି ବୃନ୍ଦାବନ ଲୀଳା । ଶୃଙ୍କଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି |
ହିନ୍ଦୁସ୍ଥାନ ସମାଚାର / ବିଜୟ