
ଜୟପୁର, ୧୯ ଜୁଲାଇ (ହି.ସ.)-
କୋରାପୁଟ ଜିଲ୍ଲାରେ ଫିଟନେସ, ଇନ୍ସୁରାନ୍ସ ନଥାଇ ଚାଲିଛି ବହୁ ସଂଖ୍ୟାରେ ଅଟୋ । ଛାତ୍ରଛାତ୍ରୀ ଏବଂ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଅବହେଳା କରି ଜୟପୁର ସହର ଏବଂ ଆଖପାଖ ଅଞ୍ଚଳରେ ଅଟୋ ଚାଲିଛି । ଜୟପୁର ସହର ଏବଂ ଆଖପାଖ ଅଞ୍ଚଳରେ ଥିବା ସରକାରୀ ଏବଂ ବେସରକାରୀ ବିଦ୍ୟାଳୟକୁ ଅନେକ ଛାତ୍ରଛାତ୍ରୀ ଅଟୋରେ ସ୍କୁଲ ଯିବାଆସିବା କରୁଛନ୍ତି । ଅଧିକାଂଶ ଡ୍ରାଇଭରଙ୍କ ଲାଇସେନ୍ସ ନାହିଁ । ଅଟୋରେ ମାତ୍ରାଧିକ ସ୍କୁଲ ଛାତ୍ରଛାତ୍ରୀ ଯାତାୟତ କରୁଛନ୍ତି । ଗୋଟିଏ ଗୋଟିଏ ଅଟୋରେ ୧୨ରୁ ୧୫ଜଣ ସ୍କୁଲ ଛାତ୍ର ଛାତ୍ରୀ ଅସୁରକ୍ଷିତ ଭାବେ ଯାଉଛନ୍ତି । ସେହିପରି କୋରାପୁଟ ଜିଲାର ବିଭିନ୍ନ ହାଟକୁ ବ୍ୟବସାୟୀ ଏବଂ ଚାଷୀ ଅଟୋରେ ଯିବା ଆସିବା କରୁଛନ୍ତି । ଗୋଟିଏ ଅଟୋରେ ୧୦ରୁ ଉର୍ଦ୍ଧ ଲୋକ ନିଜ ଜିନିଷପତ୍ର ସହ ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି । ଅଟୋ ଗୁଡିକର ଫିଟନେସ, ଇନ୍ସରାନ୍ସ, ପଲ୍ୟୁସନ ନ ଥାଇ ବର୍ଷ ବର୍ଷ ଧରି ରାସ୍ତାରେ ଗଡ଼ୁଛି । ଅଟୋ ଚାଳକର ବେପରୁଆ ଗାଡି ଚାଳନା ଯୋଗୁଁ ଅନେକ ସମୟରେ ଦୂର୍ଘଟଣା ଘଟି ଧନଜୀବନ ହାନୀ ହେଉଛି । ଦୂର୍ଘଟଣାରେ ମୃତାହତଙ୍କୁ ଇନସୁରାନ୍ସ ବାବଦ ଅର୍ଥ ମିଳୁନାହିଁ । ଅଭ୍ୟାସଗତ ନିୟମ ଉଲ୍ଲଙ୍ଗନକାରୀଙ୍କ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ସଡକରେ ଅନ୍ୟ ବ୍ୟବହାରୀଙ୍କ ପାଇଁ ବିପଦ ସାଜିଥିବା ଏଭଳି ଗାଡି ଗୁଡିକର ପଞ୍ଜିକରଣ ସାର୍ଟିଫିକେଟ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ, ଫିଟନେସ୍ ନଥିଲେ ଗାଡି ସିଜ୍ ହେବ । କେବଳ ଜରିମାନା ନୁହେଁ ଆଇନ ଅନୁଯାୟୀ ଗାଡି ଜବତ୍ କରିବା ଓ ମାମଲା ରୁଜୁ କରିବା ଭଳି କଠୋର ନିୟମ ରହିଛି । ବୈଧ ଫିଟନେସ ଓ ପଞ୍ଜିକରଣ ସାର୍ଟିଫିକେଟ ବିନା ଚାଲୁଥିବା ଗାଡି ଦୂର୍ଘଟଣାଗ୍ରସ୍ତ ହେଲେ ବୀମା କମ୍ପାନୀ ପକ୍ଷରୁ ବୀମାରାଶି ମଧ୍ୟ ପ୍ରଦାନ କରିବାର ନିୟମ ନାହିଁ ତେଣୁ ସଡକ ସୁରକ୍ଷା ଦୃଷ୍ଟିକୋଣରୁ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା କିନ୍ତୁ ତାହା ପାଳନ କରାଯାଉ ନାହିଁ । ଯାତ୍ରୀ ଓ ସ୍କୁଲ ଛାତ୍ରଛାତ୍ରୀ ପରିବହନ କରୁଥିବା ଅଟୋ, ବସ ଓ ଅନ୍ୟାନ୍ୟ ଗାଡି କ୍ଷେତ୍ରରେ ଆହୁରି ଅଧିକ କଠୋରତାର ସହ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଉଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି