
ଭୁବନେଶ୍ୱର , 19 ଜୁଲାଇ (ହି.ସ.) ବିଜେଡ଼ି ଭିତରେ ଅନେକ ଅସନ୍ତୁଷ୍ଟ ନେତା ରହିଥିବା ବେଳେ ସେମାନେ ମୁଖ ଖୋଲିପାରୁନାହାନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।
ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ବିକଶିତ ଓଡିଶା ଗଢ଼ିବାର ଲକ୍ଷ୍ୟ ନେଇ ବିଭିନ୍ନ ଦଳର ନେତାମାନେ ବିଜେପି ପ୍ରତି ଆକୃଷ୍ଟ ହେଉଛନ୍ତି। କେବଳ ବିଜେଡ଼ି ନୁହେଁ, କଂଗ୍ରେସ ଦଳରୁ ମଧ୍ୟ ଅନେକ ନେତା ବିଜେପିରେ ଯୋଗଦାନ କରିବାକୁ ଇଚ୍ଛୁକ ବୋଲି ସେ ଦାବି କରିଛନ୍ତି।
ସେ କହିଛନ୍ତି, ଦଳରେ ଜଣେ କାର୍ଯ୍ୟକର୍ତ୍ତା ଯୋଗଦାନ କଲେ ମଧ୍ୟ ସଂଗଠନ ସୁଦୃଢ ହୁଏ, ଯଦି ଜଣେ ପ୍ରଭାବଶାଳୀ ନେତା ସମର୍ଥକମାନଙ୍କ ସହିତ ଯୋଗଦାନ କରନ୍ତି, ତେବେ ସଂଗଠନର ଶକ୍ତି ଅଧିକ ବୃଦ୍ଧି ପାଏ। ବିଶେଷକରି ଗଞ୍ଜାମ ଜିଲ୍ଲାରେ ଏପରି ଯୋଗଦାନ ହେଲେ ବିଜେପିର ପ୍ରଭାବ ଅଧିକ ବଢ଼ିବ ବୋଲି ସେ କହିଛନ୍ତି।
ଗତ ନିର୍ବାଚନରେ ଗଞ୍ଜାମବାସୀ ବିଜେପିକୁ ଆଶୀର୍ବାଦ କରିଥିବା ଉଲ୍ଲେଖ କରି ସେ କହିଛନ୍ତି, 13ଟି ସିଟରୁ 11ଟି ସିଟ ଜିତିବାରେ ଦଳ ସଫଳ ହୋଇଥିଲା। ଆଗାମୀ ନିର୍ବାଚନରେ 13ରୁ 13ଟି ସିଟ ଜିତିବା ଲକ୍ଷ୍ୟ ରହିଛି।
ତଥାପି କୌଣସି ନେତାଙ୍କ ଯୋଗଦାନ ସମ୍ପର୍କରେ ଶେଷ ନିଷ୍ପତ୍ତି ଦଳର ସଭାପତି ଓ ସଂଗଠନିକ ନେତୃତ୍ୱ ନେବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ