ଜଳସ୍ତର ହ୍ରାସ ପରେ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ର ବନ୍ଦ : ଖରିଫ ଚାଷ ପାଇଁ ଜଳ ସଂରକ୍ଷଣକୁ ପ୍ରାଥମିକତା, ଓଏଚପିସିକୁ ଜଳ ଯୋଗାଣ ବନ୍ଦ
ମାଲକାନଗିରି, ୧୯ ଜୁଲାଇ (ହି.ସ.)- ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ଆଶଙ୍କାଜନକ ଭାବେ ହ୍ରାସ ପାଇଥିବାରୁ ଖରିଫ ଚାଷ ପାଇଁ ଜଳ ସଂରକ୍ଷଣକୁ ଦୃଷ୍ଟିରେ ରଖି ଓଡ଼ିଶା ଜଳସମ୍ପଦ ବିଭାଗ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ (ଓଏଚପିସି)କୁ ଜଳ ଯୋଗାଣ ବନ୍ଦ କରିଛି। ଏହା ଫଳରେ ଶନିବାର ରାତିଠାରୁ ବାଲିମେଳା
ଜଳସ୍ତର ହ୍ରାସ ପରେ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ର ବନ୍ଦ  ଖରିଫ ଚାଷ ପାଇଁ ଜଳ ସଂରକ୍ଷଣକୁ ପ୍ରାଥମିକତା, ଓଏଚପିସିକୁ ଜଳ ଯୋଗାଣ ବନ୍ଦ


ମାଲକାନଗିରି, ୧୯ ଜୁଲାଇ (ହି.ସ.)- ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ଆଶଙ୍କାଜନକ ଭାବେ ହ୍ରାସ ପାଇଥିବାରୁ ଖରିଫ ଚାଷ ପାଇଁ ଜଳ ସଂରକ୍ଷଣକୁ ଦୃଷ୍ଟିରେ ରଖି ଓଡ଼ିଶା ଜଳସମ୍ପଦ ବିଭାଗ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ (ଓଏଚପିସି)କୁ ଜଳ ଯୋଗାଣ ବନ୍ଦ କରିଛି। ଏହା ଫଳରେ ଶନିବାର ରାତିଠାରୁ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ରହିବ।

ପୋଟେରୁ ସେଚ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ବାଲିମେଳା ଜଳାଶୟର ଜଳସ୍ତର ବର୍ତ୍ତମାନ ୧,୪୫୫.୬୦ ଫୁଟ୍ରେ ପହଞ୍ଚିଛି, ଯେଉଁଥିରେ ପୂର୍ଣ୍ଣ ଜଳାଶୟ ସ୍ତର ୧,୫୧୬ ଫୁଟ୍ ରହିଛି। ଲାଇଭ୍ ଷ୍ଟୋରେଜ୍ ୧୩.୧୩ ପ୍ରତିଶତକୁ ଖସିଥିବାବେଳେ ଗତବର୍ଷ ଏହି ସମୟରେ ଏହା ୧୯.୯୪ ପ୍ରତିଶତ ଥିଲା। ଚଳିତ ବର୍ଷ ଜଳାଶୟ କ୍ୟାଚମେଣ୍ଟ ଅଞ୍ଚଳରେ ମାତ୍ର ୫୧୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଗତବର୍ଷ ଏହି ସମୟରେ ୭୭୮ ମିଲିମିଟର ବର୍ଷା ହୋଇଥିବାରୁ ଏବେ ୨୫୯ ମିଲିମିଟର ବର୍ଷା କମ ହୋଇଛି । ଏଲ୍-ନିନୋ ପ୍ରଭାବ ଓ ଦୁର୍ବଳ ମୌସୁମୀ ବର୍ଷା ଏହାର ପ୍ରମୁଖ କାରଣ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଜଳସମ୍ପଦ ବିଭାଗର ନିଷ୍ପତ୍ତି କ୍ରମେ ଖରିଫ ଚାଷ ପାଇଁ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ଓଏଚପିସିକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଏପିଜେନ୍କୋକୁ ମଧ୍ୟ ଜଳ ଯୋଗାଣ ସୀମିତ କରାଯାଇଛି।

ଓଏଚପିସିର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଦୁର୍ଗା ପ୍ରସାଦ ପଟ୍ଟନାୟକ କହିଛନ୍ତି, ଜଳାଶୟର ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିବ। ଅନ୍ୟପକ୍ଷରେ ବାଲିମେଳା ଜଳାଶୟର ଜଳସ୍ତର ସ୍ଥିର ରଖିବା ପାଇଁ ଜଳାପୁଟ ଜଳାଶୟରୁ ଅଧିକ ଜଳ ଛାଡ଼ିବାକୁ ଏପିଜେନ୍କୋକୁ ଅନୁରୋଧ କରାଯାଇଛି। ବର୍ତ୍ତମାନ ୬୦୦ କ୍ୟୁସେକ୍ ଜଳ ଛଡ଼ାଯାଉଥିବା ବେଳେ ଏହାକୁ ୨,୦୦୦ କ୍ୟୁସେକ୍ ପର୍ଯ୍ୟନ୍ତ ବଢ଼ାଇବାର ଯୋଜନା ରହିଛି।

ଜଳାଶୟର ଜଳସ୍ତର ସନ୍ତୋଷଜନକ ସ୍ଥିତିକୁ ଫେରିଲେ ପୁନର୍ବାର ଓଏଚପିସିରେ ଜଳବିଦ୍ୟୁତ ଉତ୍ପାଦନ ଆରମ୍ଭ ହେବ ବୋଲି ବିଭାଗ ସୂଚନା ଦେଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande