
ଚମ୍ପୁଆ, ୧୯ ଜୁଲାଇ (ହି.ସ.)- ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗ୍ରାମପଞ୍ଚାୟତରେ ନିର୍ମିତ ଗ୍ରାମ୍ୟ ଉଦ୍ୟାନ ପାର୍କ ଏବେ ଅବହେଳାର ଶୀକାର ହୋଇଛି। ଗ୍ରାମବାସୀଙ୍କ ମନୋରଞ୍ଜନ ଓ ପ୍ରାତଃ ଭ୍ରମଣ ପାଇଁ ଉଦ୍ଦିଷ୍ଟ ଏହି ପାର୍କଟି ଏବେ ଅଳିଆ ଗଦା ଓ ଜଙ୍ଗଲରେ ପରିଣତ ହୋଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପାର୍କଟି ଏବେ ଅନାବନା ଗଛଲତାରେ ଭରିଯାଇଥିବାରୁ ଏଠାରେ ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ ପାଇଁ ଲୋକେ ଆସିବାକୁ ଭୟ କରୁଛନ୍ତି। ପାର୍କରେ ରହିଥିବା ସୌର ଆଲୋକ ବ୍ୟବସ୍ଥା ଅଚଳ ହୋଇ ପଡିଛି। ଏହା ଚୋରି ହୋଇଛି କି ନଷ୍ଟ ହୋଇଯାଇଛି ତାହା ସ୍ପଷ୍ଟ ହେଉନାହିଁ। ଏହାବ୍ୟତୀତ, ପାର୍କରେ ଥିବା ସୌରକୂପଟି ଅକାମୀ ହୋଇପଡ଼ିଥିବା ବେଳେ ଶୌଚାଳୟ ଗୁଡ଼ିକ ମଧ୍ୟ ବ୍ୟବହାର ଅନୁପଯୋଗୀ ହୋଇ ରହିଛି। ପାର୍କରେ ଲାଗିଥିବା ସୁନ୍ଦର ଫୁଲଗଛ ଗୁଡିକର ଚିହ୍ନବର୍ଣ୍ଣ ନାହିଁ। ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏଥିପ୍ରତି ସମ୍ପୂର୍ଣ୍ଣ ଉଦାସୀନତା ପ୍ରକାଶ କରୁଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ଅଧିକାରୀଙ୍କ ଏଭଳି କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ ଏବଂ ପାର୍କର ପୁନରୁଦ୍ଧାର କେବେ ହେବ, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta