ଭଦ୍ରକ : ଶ୍ରୀଚୈତନ୍ୟ ଦେବଙ୍କ ୫୪୦ବର୍ଷର ଅଙ୍ଗବସ୍ତ୍ର ପ୍ରଦର୍ଶନ ମହାମହୋତ୍ସବ, ମଦନମୋହନଙ୍କ ପ୍ରେମରେ ବନ୍ଧାହେଲେ ବିଦେଶିନୀ
ଭଦ୍ରକ, ୧୯ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲାର ସନ୍ଥିଆ ସ୍ଥିତ ଶ୍ରୀ ରାଧା ମଦନ ମୋହନ ମନ୍ଦିରରେ ଶ୍ରୀଚୈତନ୍ୟ ଦେବଙ୍କ ୫୪୦ ବର୍ଷ ପୁରାତନ ଚନ୍ଦନ ଚର୍ଚ୍ଚିତ ପରିଧେୟ ଅଙ୍ଗବସ୍ତ୍ର ପ୍ରଦର୍ଶନ ମହା ମହୋତ୍ସବ ଭକ୍ତି, ଆଧ୍ୟାତ୍ମିକତା ଓ ଧାର୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀପାଟ ସନ୍ଥନଗର
CHAITANYA DEBA NKA ANGABASTRA PRADARSAN-2


ଭଦ୍ରକ, ୧୯ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲାର ସନ୍ଥିଆ ସ୍ଥିତ ଶ୍ରୀ ରାଧା ମଦନ ମୋହନ ମନ୍ଦିରରେ ଶ୍ରୀଚୈତନ୍ୟ ଦେବଙ୍କ ୫୪୦ ବର୍ଷ ପୁରାତନ ଚନ୍ଦନ ଚର୍ଚ୍ଚିତ ପରିଧେୟ ଅଙ୍ଗବସ୍ତ୍ର ପ୍ରଦର୍ଶନ ମହା ମହୋତ୍ସବ ଭକ୍ତି, ଆଧ୍ୟାତ୍ମିକତା ଓ ଧାର୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀପାଟ ସନ୍ଥନଗର ସନ୍ଥିଆ ମନ୍ଦିରର ମହନ୍ତ ଆଶିଷ କୁମାର ଦେବଗୋସ୍ୱାମୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାଧୁ, ସନ୍ଥ, କୀର୍ତନ ମଣ୍ଡଳୀ ଓ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ପ୍ରାତଃରେ ମନ୍ଦିର ପରିସର ଭକ୍ତମାନଙ୍କ ଭିଡ଼ରେ ଚଳଚଂଚଳ ହୋଇଉଠିଥିଲା। ବେଦମନ୍ତ୍ର ଉଚ୍ଚାରଣ, ନାମସଂକୀର୍ତନ, ହରିନାମ, ପୂଜାର୍ଚ୍ଚନା ଓ ଧାର୍ମିକ ପ୍ରବଚନ ମାଧ୍ୟମରେ ସମଗ୍ର ପରିବେଶ ଭକ୍ତିମୟ ହୋଇପଡ଼ିଥିଲା। ଶ୍ରୀକୃଷ୍ଣ ଓ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଭଜନ ଓ ନାମସଂକୀର୍ତନରେ ଉପସ୍ଥିତ ଭକ୍ତମାନେ ଆଧ୍ୟାତ୍ମିକ ଆନନ୍ଦ ଅନୁଭବ କରିଥିଲେ। ମହୋତ୍ସବରେ ଆୟୋଜିତ ସାନ୍ଧ୍ୟର ଧର୍ମସଭାରେ ବିଶିଷ୍ଟ ସାହିତ୍ୟିକ ଐତିହାସିକ ଓ ଗବେଷକ ଡଃ ଭାଗବତ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ ଶ୍ରୀ ଚୈତନ୍ୟ ଦେବଙ୍କ ଅଙ୍ଗସ୍ପର୍ଶରେ ପବିତ୍ର ହୋଇଥିବା ଅଙ୍ଗବସ୍ତ୍ର କେବଳ ଏକ ଐତିହାସିକ ସ୍ମାରକ ନୁହେଁ ବରଂ ସନାତନ ଭକ୍ତି, ପ୍ରେମ ଓ ଆଧ୍ୟାତ୍ମିକ ଚେତନାର ଜୀବନ୍ତ ପ୍ରତୀକ ବୋଲି କହିଥିଲେ। ଏଥିରେ ଜିଲାପାଳ ଡଃ ଦିଲୀପ ରାଉତରାଏ ସମ୍ମାନିତ ଅତିଥି , ତ୍ରିଦଣ୍ଡି ସ୍ୱାମୀ ଭକ୍ତିରକ୍ଷକ ସିଦ୍ଧାନ୍ତୀ ମହାରାଜ ସମ୍ମାନିତ ବକ୍ତା, ଅମୃତ ଦର୍ଶନର ସଂପାଦକ ତଥା ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା ପ୍ରମୁଖ ଯୋଗଦେଇ ଏହି ପବିତ୍ର ପୀଠରେ ଶ୍ରୀ ଚୈତନ୍ୟଦେବ ପୁରୀରୁ ବୃନ୍ଦାବନ ଯିବା ସମୟର ଅବସ୍ଥାନ କାଳରେ ଛାଡିଯାଇଥିବା ଦିବ୍ୟ ଅଙ୍ଗବସ୍ତ୍ର କେବଳ ଏକ ଆଧ୍ୟାତ୍ମିକ ଚେତନାର ଉତ୍ସ ନୁହେଁ, ଏହା ସମସ୍ତ ହିନ୍ଦୁ ଜାତିର ଆସ୍ଥା ଓ ବିଶ୍ୱାସର ପ୍ରତୀକ ବୋଲି କହିଥିଲେ। ଉତ୍ସବ ଶେଷରେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ଓଡ଼ିଶୀ ନୃତ୍ୟ ପରିବେଷଣ ପରେ ଅତିଥିମାନେ ନୃତ୍ୟାଙ୍ଗନାମାନଙ୍କୁ ପୁରସ୍କୃତ କରିଥିବାବେଳେ ଭଦ୍ରକ ଜିଲାର ସୁବାଷ ମଲ୍ଲିକ ଓ କଳାହାଣ୍ଡି ଜିଲାର ଗୋବର୍ଦ୍ଧନ ସୁନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବିଦେଶରୁ ଦୀର୍ଘ ୧୪ ବର୍ଷ ଧରି ଶ୍ରୀକୃଷ୍ଣ ଚିଦାନନ୍ଦ ମିଶ୍ର ଗୌଡିୟ ମଠ ରାଧା ମନ୍ଦିରରେ ରହୁଥିବା ବିଦେଶିନୀ ଲୀଳାବତୀ ଦାସୀଙ୍କ ଭଜନ କୀର୍ତନ ସମସ୍ତଙ୍କୁ ବିମୋହିତ କରିଥିଲା। ସେ ଏହି ପବିତ୍ର ସ୍ଥାନକୁ ପୂର୍ବରୁ ଦୁଇ ତିନି ଥର ଆସିଥିବାବେଳେ ଚଳିତବର୍ଷ ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଫେରିବା ରାସ୍ତାରେ ଶ୍ରୀଚୈତନ୍ୟଦେବଙ୍କ କନ୍ଥାବସ୍ତ୍ର ଥିବା ପାତ୍ରକୁ ସ୍ପର୍ଶକରି ନିଜକୁ ଧନ୍ୟ ମନେ କରିଥିଲେ ବୋଲି କହିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande