ସୀମାନ୍ତ ଛକରେ ଲାଗିଲା ସିସିଟିଭି: ଏବେ କ୍ୟାମେରା ନଜରରେ ରହିବ ଜିରୋ ପଏଣ୍ଟ କନକତୋରା ଛକ
Cctv installed in kanaktora area
ସୀମାନ୍ତ ଛକରେ ଲାଗିଲା ସିସିଟିଭି: ଏବେ କ୍ୟାମେରା ନଜରରେ ରହିବ ଜିରୋ ପଏଣ୍ଟ କନକତୋରା ଛକ


ଝାରସୁଗୁଡ଼ା, 19 ଜୁଲାଇ (ହି.ସ.): ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଜିରୋ ପଏଣ୍ଟ କନକତୋରା ଛକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସିସିଟିଭି କ୍ୟାମେରା ସ୍ଥାପନ କରାଯାଇଛି। ଦୀର୍ଘ ଦିନ ଧରି ସ୍ଥାନୀୟ ବ୍ୟବସାୟୀ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଏଭଳି ଦାବି ଉଠିଆସୁଥିବା ବେଳେ, ରେଙ୍ଗାଲି ପୋଲିସର ଏହି ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ କନକତୋରା ଛକର ବିଭିନ୍ନ ଦୋକାନରୁ ଚୋରି ଘଟଣା ଘଟିଥିଲା। ଏହି ଘଟଣା ପରେ ବ୍ୟବସାୟୀମାନଙ୍କ ମଧ୍ୟରେ ଅସୁରକ୍ଷାର ଭାବନା ବଢ଼ିଥିଲା ଏବଂ ଚୋରି ରୋକିବା ସହ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଛକରେ ସିସିଟିଭି କ୍ୟାମେରା ଲଗାଇବାକୁ ଦାବି କରାଯାଇଥିଲା।

ଏହାକୁ ଗୁରୁତ୍ୱର ସହ ନେଇ ରେଙ୍ଗାଲି ପୋଲିସ ପକ୍ଷରୁ ପ୍ରାୟ ୮ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ସ୍ଥାପନ କରାଯାଇଛି। ଏହି କ୍ୟାମେରା ମାଧ୍ୟମରେ ଛକରେ ହେଉଥିବା ଯାନବାହନ ଚଳାଚଳ, ବଜାର ଅଞ୍ଚଳର କାର୍ଯ୍ୟକଳାପ ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ। ଏହା ଫଳରେ ଅପରାଧ ନିୟନ୍ତ୍ରଣ, ତଦନ୍ତ କାର୍ଯ୍ୟରେ ସହାୟତା ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ପୋଲିସକୁ ବହୁତ ସୁବିଧା ମିଳିବ ବୋଲି ଆଶା କରାଯାଉଛି।

ପୋଲିସର ଏହି ସକାରାତ୍ମକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ଓ ବ୍ୟବସାୟୀମାନେ ଭୂୟସୀ ପ୍ରଶଂସା କରିଛନ୍ତି। କହ୍ନେଇ ସାହୁ, ସଞ୍ଜୟ ମେହେର, ଓମ୍ପ୍ରକାଶ ମେହେର, ବବଲୁ ଶ୍ରୀବାସ ଓ ଦୟାସାଗର ସିଂ ପ୍ରମୁଖ ରେଙ୍ଗାଲି ପୋଲିସକୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ସିସିଟିଭି କ୍ୟାମେରା ସ୍ଥାପନ ଦ୍ୱାରା ଅପରାଧୀମାନଙ୍କ ମନରେ ଭୟ ସୃଷ୍ଟି ହେବା ସହ ଅଞ୍ଚଳରେ ଚୋରି ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ହ୍ରାସ ପାଇବ।

ସ୍ଥାନୀୟମାନଙ୍କ ଆଶା, ଆଗାମୀ ଦିନରେ ଏହି ସୁରକ୍ଷା ବ୍ୟବସ୍ଥା ଅଞ୍ଚଳରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବାରେ ଫଳପ୍ରଦ ସାବ୍ୟସ୍ତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande