
ବଲାଙ୍ଗିର, ୧୯ ଜୁଲାଇ (ହି.ସ.)- ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଫାସଡ ଠାରେ ରଥଯାତ୍ରା ସମ୍ବନ୍ଧୀୟ ଏକ ସାଂସ୍କୃତିକ - ସାମାଜିକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।
ଏଠାରେ ସୂଚନାଯୋଗ ଯେ, ଗତ ୫ ବର୍ଷ ହେଲା ସକମା ଠାରେ ରଥଯାତ୍ରାର ଆୟୋଜନ ହୋଇଥାଏ । ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ରଥ ଦ୍ୱିତୀୟାର ଦୁଇ ଦିନ ପରେ ସକମା ଠାରେ ରଥାରୂଢ ହୋଇ ଫାସଡ ଗ୍ରାମରେ ଥିବା ମାଉସୀ ମା ମନ୍ଦିରକୁ ବିଜେ କରିଥାନ୍ତି । ପରମ୍ପରା ମୁତାବକ ଫାସଡ ଠାରେ ଖଲିଆପାଲି, ସକମା ଓ ମନହୀରା ପଂଚାୟତର ହଜାର ହଜାର ସଂଖ୍ୟାରେ ପୁରୁଷ ମହିଳା ଚତୁଦ୍ଧାମୁର୍ତ୍ତିଙ୍କୁ ଫାସଡ ଠାରେ ସ୍ୱାଗତ କରିଥାନ୍ତି । ଏଠାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଏ ଅଂଚଳର ସାଂସ୍କୃତି, ସାମାଜିକ ଓ ଦୈନନ୍ଦିନ ଜୀବନରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥାଏ । ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମିଶ୍ର ଯୋଗଦେଇ ଏହି ଯାତ୍ରାରେ ସାମିଲ ହୋଇଥିବା ତିନି ଖଣ୍ଡ ପଂଚାୟତର ଆବାଳ, ବୃଦ୍ଧ ବନୀତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ଏବଂ ଏହା ସହ ଉପସ୍ଥିତ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।
ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ, ଏହି ମହାନ ଯାତ୍ରା ହେଉଛି ସମତା ଓ ଏକତାର ପ୍ରତୀକ । ଚତୁଦ୍ଧାମୁର୍ତ୍ତିଙ୍କ ଯାତ୍ରାରେ କେବଳ ଏଠି ନୁହେଁ ସାରା ବିଶ୍ୱରେ ପ୍ରତ୍ୟେକ ଜାତି, ଧର୍ମ, ବର୍ଣ୍ଣର ଲୋକେ ସାମିଲ ହୋଇ ଏକତାର ବାର୍ତ୍ତା ଦେଇଛନ୍ତି । ଏପରି ଏକତା ପ୍ରତ୍ୟେକ କ୍ଷେତ୍ରରେ ଜାରି ରହିଲେ ଅଂଚଳର ବିକାଶକୁ କେହି ରୋକିପାରିବେ ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ । ସକମା ପଂଚାୟତର ସରପଂଚ ଉଗ୍ରେସନ ବରାଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହେଉଥିବା ଏହି ଯାତ୍ରା ତଥା ସାଂସ୍କୃତିକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରୀୟବ୍ରତ ପଣ୍ଡା, ପ୍ରେମାନନ୍ଦ ବେହେରା, ବେଣୁଧର ନାଏକ, ବୁଡୁ ପ୍ରଧାନ, ହାଡୁ ସ୍ୱାଇଁ, ବିନୋଦ ବରାଡ, ପଦ୍ମନ ବରାଡ, ପର୍ଶୁରାମ ନାଏକ, ଧନୁ ସିଂହ, ଶୁଶିଲ ମହାକୁର, ସମିତି ସଭ୍ୟ ସଂଜିବ ପ୍ରଧାନ ପ୍ରମୁଖ ମଂଚାସିନ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ