
ଭୁବନେଶ୍ୱର, 19
ଜୁଲାଇ (ହି.ସ.) ରଥଯାତ୍ରା 2026 ଅବସରକୁ ଦୃଷ୍ଟିରେ
ରଖି ଓଡ଼ିଶା ପୋଲିସର ସାଇବର ସେଫ୍ଟି ଆଣ୍ଡ ରେସ୍ପୋନ୍ସ ଟିମ୍ ପୁରୀରେ ତୀର୍ଥଯାତ୍ରୀ ଓ
ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବ୍ୟାପକ ସଚେତନତା ଅଭିଯାନକୁ ଜୋରଦାର କରିଛି।
ଏହି ଅଭିଯାନ ଅନୁସାରେ ଟିମ୍ ତୀର୍ଥଯାତ୍ରୀ, ପର୍ଯ୍ୟଟକ, ହୋଟେଲ୍ ମାଲିକ ଓ
ସ୍ଥାନୀୟ ନିବାସୀଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ବନ୍ଧୀୟ ସନ୍ଦେଶ ଓ ସଚେତନତା ସାମଗ୍ରୀ ବଣ୍ଟନ
କରୁଛି। ଅଧିକାରୀମାନେ ସହରର 12ଟି
ପ୍ରମୁଖ ହୋଟେଲ୍ ପରିଦର୍ଶନ କରି ପରିଚାଳନାକୁ ନକଲି ହୋଟେଲ୍ ବୁକିଂ ଠକେଇ ବିଷୟରେ ସଚେତନ
କରିଥିଲେ। ସେହିପରି, ହୋଟେଲ୍
ୱେବସାଇଟ୍ମାନଙ୍କୁ ପରୀକ୍ଷା କରି ସମ୍ଭାବ୍ୟ ତ୍ରୁଟିକୁ ଦୂର କରିବାକୁ ଆବଶ୍ୟକ ପରାମର୍ଶ ମଧ୍ୟ
ଜାରି କରାଯାଇଛି।
ଏଥିପାଇଁ ଟିମ୍ 850ରୁ ଅଧିକ
ପର୍ଯ୍ୟଟକ ଓ ଭକ୍ତଙ୍କ ସହ ସକ୍ଷାତ୍ ଆଲୋଚନା କରି ବିଭିନ୍ନ ସାଇବର ଠକେଇ ବିଷୟରେ ସଚେତନତା
ସୃଷ୍ଟି କରିଥିଲେ ଏବଂ ସାଇବର ସୁରକ୍ଷା ପାମ୍ଫ୍ଲେଟ୍ ବଣ୍ଟନ କରିଥିଲେ। ରଥଯାତ୍ରା ସମ୍ବନ୍ଧୀୟ
ସୋସିଆଲ୍ ମିଡିଆରେ ପ୍ରଚାରିତ 150ରୁ ଅଧିକ
ଭ୍ରାମକ ପୋଷ୍ଟକୁ ଚିହ୍ନଟ କରି ହଟାଯାଇଛି।
ଜୁଲାଇ 17
ଓ 18, 2026 ତାରିଖରେ
ଟିମ୍ ସାଇବର ସେଫ୍ଟି ଆଣ୍ଡ ରେସ୍ପୋନ୍ସ ଟିମ୍ପୋର୍ଟାଲରେ 78ଟି
ମୋବାଇଲ୍ ଫୋନ୍ ହଜିଥିବା ସମ୍ବନ୍ଧୀୟ ଅଭିଯୋଗ ପଂଜୀକୃତ
କରି ତ୍ୱରିତ ପଦକ୍ଷେପ ନେଇଛି।
ଓଡ଼ିଶା
ପୋଲିସ ସମସ୍ତ ଭକ୍ତ ଓ ପର୍ଯ୍ୟଟକଙ୍କୁ ସତର୍କ ରହିବା, ସାଇବର ସୁରକ୍ଷା ନିୟମ ମାନିବା, ହୋଟେଲ୍ ବୁକିଂ କେବଳ ବିଶ୍ୱସନୀୟ ଉତ୍ସରୁ କରିବା ଓ ସୁରକ୍ଷିତ ଏବଂ
ସୁଚାରୁ ରଥଯାତ୍ରା 2026 ପାଇଁ
ପୋଲିସଙ୍କ ସହଯୋଗ କରିବାକୁ ଅନୁରୋଧ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ