
ଭଦ୍ରକ, ୧୯ ଜୁଲାଇ (ହି.ସ.) - ଓଡ଼ିଶା ପୋଲିସ ହାବିଲଦାର, କନେଷ୍ଟବଳ ଓ ହୋମଗାର୍ଡ କର୍ମଚାରୀ ସଂଘର ନବମ ରାଜ୍ୟ ସମ୍ମିଳନୀ ରବିବାର ଭଦ୍ରକ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ (ଡିପିଓ) କନଫରେନ୍ସ ହଲ୍ରେ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଘର ବହୁ ସଦସ୍ୟ, ପଦାଧିକାରୀ ଓ ପୁରାତନ ହାବିଲଦାର, କନେଷ୍ଟବଳ ଏବଂ ହୋମଗାର୍ଡମାନେ ଯୋଗଦେଇ ସଂଗଠନର ଐକ୍ୟ, କର୍ମଚାରୀଙ୍କ କଲ୍ୟାଣ, ସେବା ସୁରକ୍ଷା ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭ ଅତିଥିମାନଙ୍କ ଦ୍ୱାରା ପବିତ୍ର ଦୀପ ପ୍ରଜ୍ୱଳନ ମାଧ୍ୟମରେ ହୋଇଥିଲା। ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀ ପ୍ରଦାନ କରି ସ୍ୱାଗତ ଜଣାଯାଇଥିଲା। ସମ୍ମିଳନୀରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସ୍ପି) ମନୋଜ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସ କର୍ମଚାରୀଙ୍କ ଶୃଙ୍ଖଳା, କର୍ତବ୍ୟନିଷ୍ଠା, ସେବାଭାବ ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଗଠନର ଏକତା, ପାରସ୍ପରିକ ସହଯୋଗ ଓ ସମନ୍ୱୟ ମାଧ୍ୟମରେ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ। ଡିଆଇବି ଏଡିସନାଲ ଏସ୍ପି ଅଂଶୁମାନ ଦ୍ୱିବେଦୀ ମଧ୍ୟ ଉପସ୍ଥିତ ରହି ସଂଘର ପଦାଧିକାରୀମାନଙ୍କ ସହ ମତବିନିମୟ କରିଥିଲେ। ଉଭୟ ଅଧିକାରୀଙ୍କୁ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତରୀ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସଂଘର ସଭାପତି ଖଗେଶ୍ୱର (ଖଗେନ୍ଦ୍ରନାଥ) ଦାସ ସଭାପତିତ୍ୱ କରି ସଂଗଠନର ବର୍ତମାନର କାର୍ଯ୍ୟକଳାପ, ଭବିଷ୍ୟତ ଯୋଜନା ଏବଂ କର୍ମଚାରୀଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ସଂଘର ଭୂମିକା ଉପରେ ବିସ୍ତୃତ ମତ ରଖିଥିଲେ। ସେ କହିଥିଲେ ଯେ, ସଂଘ ସର୍ବଦା ପୋଲିସ, ହାବିଲଦାର, କନେଷ୍ଟବଳ ଓ ହୋମଗାର୍ଡ କର୍ମଚାରୀଙ୍କ ନ୍ୟାୟସଙ୍ଗତ ଦାବି ଓ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛି। ସମ୍ପାଦକ ଉମାକାନ୍ତ ସାହାଣୀ ସଂଗଠନର ବାର୍ଷିକ କାର୍ଯ୍ୟବିବରଣୀ ଉପସ୍ଥାପନ କରିଥିବାବେଳେ ଉପ-ସଭାପତି ପ୍ରିୟବ୍ରତ ଦାସ ସଂଗଠନର ଭବିଷ୍ୟତ ଲକ୍ଷ୍ୟ ଓ ସଦସ୍ୟମାନଙ୍କ ଏକତା ଉପରେ ଗୁରୁତ୍ୱ ଦେଇଥିଲେ। କୋଷାଧ୍ୟକ୍ଷ ବସନ୍ତ କୁମାର ମାଝୀ ସଂଘର ଆର୍ôଥକ ବିବରଣୀ ଉପସ୍ଥାପନ କରିଥିଲେ। ଏହି ରାଜ୍ୟ ସମ୍ମିଳନୀରେ ଉମାରାଣୀ ସାହୁ, ଅଭୟ କୁମାର ସେଠୀ, ପ୍ରଭୁ ରଞ୍ଜନ ନାୟକ, ରଣଜିତ ସାହୁ, ରଘୁନାଥ ମାରାଣ୍ଡି, ବସନ୍ତ କୁମାର ବେହେରା ପ୍ରମୁଖ ସଂଘର ସକ୍ରିୟ ସଦସ୍ୟ ଓ ପଦାଧିକାରୀମାନେ ଉପସ୍ଥିତ ରହି ସଂଗଠନକୁ ଆହୁରି ସୁଦୃଢ଼ କରିବା ନେଇ ମତାମତ ରଖିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧିମାନେ କର୍ମଚାରୀଙ୍କ ସେବାଗତ ସମସ୍ୟା, କଲ୍ୟାଣମୂଳକ ପଦକ୍ଷେପ ଓ ସଂଗଠନର ଆଗାମୀ ରୂପରେଖା ଉପରେ ନିଜ ନିଜ ମତ ପ୍ରକାଶ କରିଥିଲେ। ଶେଷରେ କନକ ନ୍ୟୁଜର ସାମ୍ବାଦିକ ଶଶୀଭୂଷଣ ସ୍ୱାମୀଙ୍କୁ ଉତରୀ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଧନ୍ୟବାଦ ଅର୍ପଣ ପରେ ସମ୍ମିଳନୀ ଶେଷ ହୋଇଥିଲା। ରାଜ୍ୟସ୍ତରୀୟ ଏହି ସମ୍ମିଳନୀ ପୋଲିସ, ହାବିଲଦାର, କନେଷ୍ଟବଳ ଓ ହୋମଗାର୍ଡ କର୍ମଚାରୀଙ୍କ ମଧ୍ୟରେ ଏକତା, ସମନ୍ୱୟ ଓ ସହଯୋଗର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ସଂଘର କାର୍ଯ୍ୟକୁ ଅଧିକ ଗତିଶୀଳ କରିବ ବୋଲି ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ