
ଝାରସୁଗୁଡ଼ା, ୧୯ ଜୁଲାଇ (ହି.ସ.)ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଥାନା ଅଞ୍ଚଳରେ ସକ୍ରିୟ ଥିବା ଏକ ଆନ୍ତଃରାଜ୍ୟ ସ୍କ୍ରାପ୍ ଚୋରି ଚକ୍ରର ପର୍ଦ୍ଦାଫାଶ କରି ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ଗ୍ରାମ୍ୟ ଜଳଯୋଗାଣ ଏବଂ ଉଠା ଜଳସେଚନ ପ୍ରକଳ୍ପରୁ ବିଦ୍ୟୁତ ଆଲୁମିନିୟମ କଣ୍ଡକ୍ଟର ତାର ଚୋରି କରି ସ୍କ୍ରାପ୍ ଭାବେ ବିକ୍ରି କରୁଥିବା ଏହି ସଂଗଠିତ ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି।
ଆରଡବ୍ଲୁଏସଏସର କାର୍ଯ୍ୟନିର୍ବାହୀ କର୍ମଚାରୀଙ୍କ ଅଭିଯୋଗ ଆଧାରରେ କୋଲାବିରା ଥାନାରେ କେସ୍ ନମ୍ବର ୧୪୯/୨୦୨୬ ରୁଜୁ କରାଯାଇଥିଲା। ଏହାପରେ ପୋଲିସ ବୈଜ୍ଞାନିକ ଏବଂ ତ୍ୱରିତ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଜେ. ପଣ୍ଡକିମାଲ, ବାଦବାହାଲ ଓ ଦିଆନଜୋର ଅଞ୍ଚଳରୁ ପ୍ରାୟ ୩,୬୦୦ ମିଟର ଲମ୍ବର ୧୧ କେଭି ଆଲୁମିନିୟମ କଣ୍ଡକ୍ଟର ତାର ଚୋରି କରାଯାଇଥିଲା। ଚୋରି ପରେ ଏହି ତାରଗୁଡ଼ିକୁ ଝାରସୁଗୁଡ଼ା ପୁରୁଣାବସ୍ତିସ୍ଥିତ ଏକ ସ୍କ୍ରାପ୍ ଗୋଦାମରେ ଲୁଚାଇ ରଖାଯାଇଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ାର ବାବୁଲୁ ଓରଫ ଅବଦୁଲ ଖୟାମ (୪୬), ଝାଡ଼ଖଣ୍ଡର ବାଲ୍ଲା ଓରଫ ଅବଦୁଲ ରହିମ (୩୫), ପଶ୍ଚିମବଙ୍ଗର ଅଜମାଇଲ ମିର (୪୮) ଏବଂ ପୁରୁଣାବସ୍ତିର ଅଶ୍ରଫ ରଜା (୨୬)। ସେମାନଙ୍କ ନିକଟରୁ ଚୋରିରେ ବ୍ୟବହୃତ ଏକ ବୋଲେରୋ ପ୍ଲସ ଗାଡ଼ି, ୬ ବଣ୍ଡଲ କଟା ଆଲୁମିନିୟମ ତାର, ଗୋଟିଏ ତାର କଟର ଓ ପ୍ଲାଷ୍ଟିକ ଦଉଡ଼ି ଜବତ କରାଯାଇଛି।
ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି। ଜନସାଧାରଣଙ୍କ ସମ୍ପତ୍ତି ଓ ଜନହିତକର ଭିତ୍ତିଭୂମିକୁ କ୍ଷତି ପହଞ୍ଚାଉଥିବା ଅପରାଧୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ଝାରସୁଗୁଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର କହିଛନ୍ତି। ସେହିପରି ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ