

ବଲାଙ୍ଗୀର, ୧୯ ଜୁଲାଇ(ହି.ସ.) – ପରିବେଶ ସଂରକ୍ଷଣ ଓ ଜୈବ ବିବିଧତା ପ୍ରତି ଯୁବପିଢୀଙ୍କ ମଧ୍ୟରେ ବ୍ୟବହାରିକ ଜ୍ଞାନ ଓ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାହେଶ୍ୱରୀ ସଂଗଠନ ପକ୍ଷରୁ ‘ମାହେଶ୍ୱରୀ ଯୁବ ଆକ୍ସନ ସିରିଜ-୧: ବନ୍ୟଜନ୍ତୁ ଓ ଜୈବ ବିବିଧତା ଅନ୍ୱେଷଣ ଅଭିଯାନ’ ତାଳଝରଣ ଜଙ୍ଗଲ ଅଂଚଳରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ମାହେଶ୍ୱରୀ ଯୁବ ସମ୍ମିଳନୀ-୨୦୨୬ ସଫଳ ଆୟୋଜନ ପରେ ଯୁବମାନଙ୍କୁ କେବଳ ଆଲୋଚନାରେ ସୀମିତ ନରଖି ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାମିଲ କରିବା ଉଦ୍ଦେଶ୍ୟରେ ମାହେଶ୍ୱରୀ ଯୁବ ଆକ୍ସନ ସିରିଜ ଶୁଭାରମ୍ଭ କରାଯାଇଛି। ଏହାର ପ୍ରଥମ ପର୍ଯ୍ୟାୟ ଭାବେ ଏହି ବନ୍ୟଜନ୍ତୁ ସଂରକ୍ଷଣ ଓ ଜୈବ ବିବିଧତା ଅନ୍ୱେଷଣ ଅଭିଯାନ ଆୟୋଜିତ ହୋଇଥିଲା। ବଲାଙ୍ଗୀର ବନ ବିଭାଗର ସହଯୋଗ ଏବଂ ଡିଏଫ୍ଓଙ୍କ ପ୍ରୋତ୍ସାହନରେ ଏହି ଅଭିନବ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲେ। ଏହି ଅଭିଯାନରେ ପ୍ରାୟ ବହୁ ସଂଖ୍ୟାରେ ଯୁବ-ଯୁବତୀ ଅଂଶଗ୍ରହଣ କରି ତାଳଝରଣ ଜଙ୍ଗଲରେ ପଦଯାତ୍ରା କରିଥିଲେ। ଅଭିଯାନ ସମୟରେ ବିଭିନ୍ନ ପ୍ରଜାତିର ବୃକ୍ଷ, ଔଷଧିୟ ଉଦ୍ଭିଦ, ପକ୍ଷୀ ଏବଂ ବନ୍ୟଜନ୍ତୁ ସମ୍ପର୍କରେ ଅବଗତ ହେବା ସହିତ ସ୍ଥାନୀୟ ଜୈବ ବିବିଧତାର ପର୍ଯ୍ୟବେକ୍ଷଣ କରିଥିଲେ। ଜଙ୍ଗଲର ପରିସ୍ଥିତି, ପ୍ରକୃତିର ସନ୍ତୁଳନ ଓ ବନ୍ୟଜନ୍ତୁ ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ସେମାନେ ବ୍ୟବହାରିକ ଜ୍ଞାନ ଲାଭ କରିଥିଲେ। ବନ୍ୟଜୀବ ସଂରକ୍ଷକ ତଥା ଜୀବବିଜ୍ଞାନ ବିଶେଷଜ୍ଞ ଅରିନ୍ଦମ ପରିଚ୍ଛା ଅଭିଯାନର ମାର୍ଗଦର୍ଶନ କରି ଜଙ୍ଗଲର ଜୈବ ବିବିଧତା, ବିଭିନ୍ନ ପ୍ରଜାତିର ଉଦ୍ଭିଦ ଓ ବନ୍ୟଜନ୍ତୁର ପରିବେଶଗତ ଭୂମିକା, ଖାଦ୍ୟ ଶୃଙ୍ଖଳା ଏବଂ ପ୍ରକୃତିର ସନ୍ତୁଳନ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ କହିଥିଲେ ମାହେଶ୍ୱରୀ ଯୁବ ଆକ୍ସନ ସିରିଜ ମାଧ୍ୟମରେ ଯୁବପିଢିଙ୍କୁ ପରିବେଶ, ସମାଜସେବା ଓ ନେତୃତ୍ୱ କ୍ଷେତ୍ରରେ ବ୍ୟବହାରିକ ଅନୁଭୂତି ପ୍ରଦାନ କରାଯିବ। ସଂଗଠନର ସଭାପତି ଶୋଭନ କୁମାର ଅଗ୍ରୱାଲ, ସଦର ବ୍ଲକ ସଭାପତି ଦେବାଶିଷ ପାଣ୍ଡିଆ, ପ୍ରିତିଶ କୁମାର ସାହୁ, ସ୍ପନ୍ଦନ ପ୍ରଧାନ, ଅମନ ଖାନ, ହରେନ୍ଦ୍ର ଜେନା, ସୁଷମା ବହିଦାର, ସୁପ୍ରମା ବହିଦାର, ଶ୍ୱେତା ବାରିକ, ପଦ୍ମାଳୟା ବାରିକ, ଦୀପକ ତ୍ରିପାଠୀ ଏହି ପ୍ରୟାସକୁ ସଫଳ କରିବାରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ