ବ୍ୟାଙ୍କ ଖାତାକୁ ନେଇ ସାଇବର ଠକେଇ: ମାଷ୍ଟରମାଇଣ୍ଡ ଗିରଫ, ସତର୍କ କଲା ପୋଲିସ
Master mind of cyber froud busted
ବ୍ୟାଙ୍କ ଖାତାକୁ ନେଇ ସାଇବର ଠକେଇ: ମାଷ୍ଟରମାଇଣ୍ଡ ଗିରଫ, ସତର୍କ କଲା ପୋଲିସ


ଝାରସୁଗୁଡ଼ା, ୧୯ ଜୁଲାଇ (ହି.ସ.)

ଝାରସୁଗୁଡ଼ା, ୧୯: ଝାରସୁଗୁଡ଼ା ପୋଲିସ ସହରରେ ସକ୍ରିୟ ଥିବା ଏକ ସଂଗଠିତ ସାଇବର ଠକେଇ ରାକେଟର ପର୍ଦାଫାଶ କରିଛି। ଏହି ମାମଲାରେ ଜଡ଼ିତ ରେଲୱେ କଲୋନୀ ତେଲୁଗୁପଡ଼ା ଅଞ୍ଚଳର ବାସିନ୍ଦା ପ୍ରତୀକ ସିଂ (୨୪)ଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।

ପୋଲିସ ସୂଚନା ଅନୁଯାୟୀ, ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ତେବେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ସ୍ଥାନୀୟ ଲୋକଙ୍କୁ ସାମାନ୍ୟ ଟଙ୍କାର ପ୍ରଲୋଭନ ଦେଖାଇ ସେମାନଙ୍କ ନାମରେ ବ୍ୟାଙ୍କ ଖାତା ଖୋଲାଉଥିଲେ। ପରେ ସେହି ଖାତା ସମ୍ବନ୍ଧୀୟ ଏଟିଏମ୍ କାର୍ଡ, ପାସବୁକ ଓ ଇଣ୍ଟରନେଟ ବ୍ୟାଙ୍କିଂ କିଟ୍ ନିଜ ହାତକୁ ନେଇଯାଉଥିଲେ। ଏହି 'ମ୍ୟୁଲ୍ ଆକାଉଣ୍ଟ' ମାଧ୍ୟମରେ ସାଇବର ଅପରାଧୀମାନେ ଅବୈଧ ଟଙ୍କା କାରବାର କରୁଥିବାରୁ ପ୍ରକୃତ ଅପରାଧୀଙ୍କୁ ଚିହ୍ନଟ ଓ ଟ୍ରାକ୍ କରିବା ପୋଲିସ ପାଇଁ କଷ୍ଟସାଧ୍ୟ ହେଉଥିଲା।

ଘଟଣା ପରେ ଝାରସୁଗୁଡ଼ା ପୋଲିସ ସାଧାରଣ ଲୋକଙ୍କୁ ସତର୍କ କରି କହିଛି ଯେ, କୌଣସି ପ୍ରଲୋଭନରେ ପଡ଼ି ନିଜ ବ୍ୟାଙ୍କ ଖାତା, ଏଟିଏମ୍ କାର୍ଡ, ପାସବୁକ, ଇଣ୍ଟରନେଟ ବ୍ୟାଙ୍କିଂ ସୂଚନା କିମ୍ବା ଅନ୍ୟ କୌଣସି ଗୁପ୍ତ ତଥ୍ୟ ଅଜଣା ବ୍ୟକ୍ତିଙ୍କୁ ନ ଦେବାକୁ ଅନୁରୋଧ କରିଛି। ଏପରି କୌଣସି ସନ୍ଦେହଜନକ ପ୍ରସ୍ତାବ ମିଳିଲେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande