

ମାଲକାନଗିରି, ୧୮ ଜୁଲାଇ(ହି.ସ.) – ଘଡ଼ାଇ ଶିକ୍ଷା ସଂସ୍ଥାନ ଠାରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଜ୍ଞାନ ମହାବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। କଲେଜ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ୱାଇଁ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଲକାନଗିରିର ସଭାପତି ରବୀନ୍ଦ୍ର କୁମାର ମହାରଣା ମୁଖ୍ୟବକ୍ତା, ଡିଡି ଓଡ଼ିଆର ସାମ୍ବାଦିକ ଗୋପାଳ ବିଶ୍ୱାଳ, ଆୟୁର୍ବେଦିକ୍ ଡାକ୍ତର ଦେବବ୍ରତ ସାହୁ, ମାଲକାନଗିରି ବେଙ୍ଗଲୀ ସମାଜର ସଭାପତି ଗୌରାଙ୍ଗ କର୍ମକାର ଓ ଘଡ଼ାଇ ଆବାସିକ ମହାବିଦ୍ୟାଳର ଯୁକ୍ତଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ସାମଲ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। ଘଡ଼ାଇ ଶିକ୍ଷା ସଂସ୍ଥାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁରେଶ ଚନ୍ଦ୍ର ଘଡ଼ାଇ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁକ୍ତ ତିନି ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ଯୁକ୍ତ ତିନି ବିଜ୍ଞାନ କଲେଜର ପରିକ୍ଷାର୍ଥୀମାନଙ୍କର ପାସ୍ହାର ଓ ମେଧାବୀ ଛାତ୍ର ଛାତ୍ରୀମାନଙ୍କ ଶତକଡ଼ା ମାର୍କହାର ଉପସ୍ଥାପନ କରିଥିଲେ। ମଂଚାସୀନ ଅତିଥିମାନେ ବିଶ୍ୱବିଦ୍ୟାଳୟ ସ୍ତରରେ ଯୁକ୍ତ ତିନି ବିଜ୍ଞାନର ପାସ୍ହାର ବୃଦ୍ଧି ଓ ଗୁଣାତ୍ମକ ଶିକ୍ଷା ଦୃଷ୍ଟିରୁ ଘଡ଼ାଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ। ମଂଚାସୀନ ଅତିଥିଗଣ କଠିନ ପରିଶ୍ରମ, ନିଷ୍ଠାପର ଉଦ୍ୟମ ଓ ଶୃଙ୍ଖଳା ହିଁ ସଫଳତାର ଚାବିକାଠି ବୋଲି ଉଲ୍ଲେଖ କରିଥିଲେ। ଛାତ୍ରାବସ୍ଥାରୁ ଜୀବନର ଲକ୍ଷ୍ୟ ସ୍ଥିରକରି ନିଜର ରୁଚି, ଦକ୍ଷତା ଓ ସମ୍ଭାବନାକୁ ଚିହ୍ନଟ କରି ନିଷ୍ଠାପର ଅଧ୍ୟବସାୟ ଓ ଉଦ୍ୟମ ଦ୍ୱାରା ସଫଳତା ହାସଲ କରିବା ପାଇଁ ମାର୍ଗଦର୍ଶନ କରିଥିଲେ। ଯୁକ୍ତ ତିନି ବିଜ୍ଞାନ(ରସାୟନ) ବିଭାଗର ଛାତ୍ର ଭୂପେନ ରାୟ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ସ୍ତରରେ ସର୍ବୋଚ୍ଚ ନମ୍ବର ରଖି ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଅଭିଭାବକମାନେ କଲେଜର ସଫଳତାରେ ସନ୍ତୋଷ ପ୍ରକାଶ କରିଥିଲେ। ନିଜସ୍ୱ ଓ ଅତ୍ୟାଧୁନିକ ଶ୍ରେଣୀଗୃହ, ସ୍ମାର୍ଟକ୍ଲାସ, ଇ-ଲାଇବ୍ରେରୀ, ଅତ୍ୟାଧୁନିକ କମ୍ପ୍ୟୁଟର ଲ୍ୟାବ, ବିଜ୍ଞାନାଗାର, ଶିକ୍ଷଣ ସାମଗ୍ରୀ, ଟ୍ୟୁଟୋରିଆଲ କ୍ଲାସ ଓ ପ୍ରଶିକ୍ଷିତ ଅନୁଭବୀ ଅଧ୍ୟାପକ ଅଧ୍ୟାପିକାଙ୍କ ଚେଷ୍ଟା, ପରିଶ୍ରମ ଓ ପ୍ରେରଣା ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଭୂପେନ ରାୟ ମତବ୍ୟକ୍ତ କରିଥିଲେ। ମହାବୀର ଟେଲି ପ୍ରଡ଼କସନ୍, ଭୁବନେଶ୍ୱରଙ୍କ ଦ୍ୱାରା ‘ଆମ ଓଡ଼ିଶା ଆୱାର୍ଡ଼ ୨୦୨୬' ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଜ୍ଞାନ ବିଭାଗର ୪୭ଜଣ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମଂଚାସୀନ ଅତିଥିମାନେ ଉତରୀୟ ସହ ଉପହାର ଫଳକ ଓ ଟ୍ରଫି ପ୍ରଦାନ କରି ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଅଧ୍ୟକ୍ଷ ସତ୍ୟବ୍ରତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ଓଡ଼ିଆ ଅଧ୍ୟାପିକା ରାଜଶ୍ରୀ ମେହେର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ