



ସାମ୍ବାଦିକଙ୍କୁ ସୁରକ୍ଷା, ସମ୍ମାନ ଓ ପେନସନ ଦାବି
ଭୁବନ, ୧୯ ଜୁଲାଇ(ହି.ସ.) – ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଢ଼େଙ୍କାନାଳ ଜିଲ୍ଲା ଶାଖା ତରଫରୁ ଭୁବନ ପୂର୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ବନ୍ଧୁ ମିଳନ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ,କେବଳ ବିଜ୍ଞାପନ ପାଇଁ ମେନଷ୍ଟ୍ରିମ୍ ମିଡିଆ ସରକାରଙ୍କ ଦୋଷ ଦୁର୍ବଳତାକୁ ଘଂଟ ଘୋଡ଼ାଇବା ସହ ଭିନ୍ନ ଢଙ୍ଗରେ ସଫଳତା ପ୍ରଚାର କରୁଥିବାବେଳେ ସୋସିଆଲ ମିଡିଆ ଓ ଡିଜିଟାଲ ମିଡିଆ ସରକାରଙ୍କ ଦୋଷତ୍ରୁଟି ଓ ଭୁଲ୍ ନିଷ୍ପତିକୁ ସମାଲୋଚନା କରି ଲୋକଙ୍କ ନିକଟରେ ପହଂଚାଉ ଦିନକୁ ଦିନ ଗ୍ରହଣୀୟ ହେଉଛି। ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଅନ୍ୟମାନଙ୍କ ଠାରୁ ଭିନ୍ନ, ସ୍ୱତନ୍ତ୍ର ଓ ନିଆରା ସଂଗଠନ। ଏଥିରେ ସଦସ୍ୟ ହେବା ମାତ୍ରେ ଆଇ କାର୍ଡ଼, ସାର୍ଟିଫିକେଟ ସହିତ ୧ ଲକ୍ଷ ଟଙ୍କା ବୀମାଭୂକ୍ତ ହେଉଥିବାରୁ ଖୁବ୍ କମ୍ ଦିନରେ ସଦସ୍ୟ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି ବୋଲି ଶ୍ରୀ ପୋଥାଳ ସୂଚନା ଦେଇଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଓଡିଏମ୍ ମହାସଂଘ ରାଜ୍ୟ ସମ୍ପାଦକ ସଦାଶିବ ମହାପାତ୍ର ଅତିଥି ଭାବେ ଯୋଗଦେଇ ଗ୍ରାମାଂଚଳ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ସାମ୍ବାଦିକ ମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ସାମାଜିକ ସୁରକ୍ଷା, ସମ୍ମାନ ଓ ପେନସନ ଦେବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ ଓ କର୍ତବ୍ୟ। ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ, ମାସିକ ଭତା ପ୍ରଦାନ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା ସୁବିଧା, ଅସାମାଜିକ ବ୍ୟକ୍ତି/ଦୁର୍ବୁର୍ତଙ୍କ ଦ୍ୱାରା ଆକ୍ରମଣ ଘଟଣାରେ ତ୍ୱରିତ ଆଇନଗତ ପଦକ୍ଷେପ, ସାମ୍ବାଦିକ କଲ୍ୟାଣ ପାଣ୍ଠିର ସୁଦୃଢ଼ିକରଣ, ଗ୍ରାମାଂଚଳ ସାମ୍ବାଦିକଙ୍କୁ ସମ୍ମାନ ସୁବିଧା ସୁଯୋଗ ପ୍ରଦାନ ପାଇଁ ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ। ଏ ସମ୍ପର୍କରେ ଆଗାମୀ ଦିନରେ ଓଡିଏମ୍ ଢ଼େଙ୍କାନାଳ ଶାଖା ତରଫରୁ ଉପରୋକ୍ତ ନ୍ୟାୟ ସଙ୍ଗତ ଦାବି ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଥିଲା। ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ମହାନ୍ତି ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପରବର୍ତୀ ବୈଠକ ଗନ୍ଦିଆ ଠାରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ସରୋଜ କୁମାର ମହାଳିକ, ବିଶ୍ୱ ରଞ୍ଜନ ହାତୀ, ଯୁଗ୍ମ ସମ୍ପାଦକ ଅଭିଜିତ୍ ମହାପାତ୍ର, ରାକେଶ ରଞ୍ଜନ ପଟ୍ଟନାୟକ, ସଂଗଠନ ସମ୍ପାଦକ ଦେବାଶିଷ ବାରିକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ପୋଥାଳ, ଦେବାନନ୍ଦ ସାହୁ, ବୁଦ୍ଧଦେବ ପଣ୍ଡା, ସୁଦର୍ଶନ ପୁହାଣ, ବିନୟ କୁମାର ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଓଡ଼ିଶା ଡ୍ରାଇଭର ମହାସଂଘ ଭୁବନ ବ୍ଲକର କର୍ମକର୍ତା ନନ୍ଦ କିଶୋର ସାହୁ, ନାରାୟଣ ଧୀର, ଶିବରାମ ସାହୁ, ସନ୍ତୋଷ ପଟ୍ଟନାୟକ, ରାକେଶ କାଣ୍ଡି ପ୍ରମୁଖ ସେମାନଙ୍କର ବିଭିନ୍ନ ସମସ୍ୟା ଗଣମାଧ୍ୟମ ଜରିଆରେ ସରକାରଙ୍କ ନିକଟରେ ପହଂଚାଇ ସମାଧାନ କରିବାକୁ ନିବେଦନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ