
ଝାରସୁଗୁଡ଼ା, 19 ଜୁଲାଇ (ହି.ସ.) ପରିବେଶର ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ହ୍ରାସ ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ବରିଷ୍ଠ ନାଗରିକ କଲ୍ୟାଣ ସମିତି ପକ୍ଷରୁ ଝରିଆନାଲ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ସମିତିର ସଭାପତି ତଥା ବିଶିଷ୍ଟ ଯନ୍ତ୍ରୀ ମୋତିଲାଲ ଜୈନ ଓ ସମ୍ପାଦକ ନିରଞ୍ଜନ ବେହେରାଙ୍କ ନେତୃତ୍ୱରେ ସମିତିର ବହୁ ସଦସ୍ୟ ଓ ବରିଷ୍ଠ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଫଳ, ଔଷଧୀୟ ଓ ଛାୟା ପ୍ରଦାନକାରୀ ଚାରା ରୋପଣ କରିଥିଲେ। ରୋପଣ କରାଯାଇଥିବା ଚାରାଗୁଡ଼ିକର ସୁରକ୍ଷା ଓ ଯତ୍ନ ନେବା ପାଇଁ ମଧ୍ୟ ସମସ୍ତେ ସଂକଳ୍ପ ନେଇଥିଲେ।
ଏହି ଅବସରରେ ସଭାପତି ଶ୍ରୀ ଜୈନ କହିଥିଲେ ଯେ, ବୃକ୍ଷ ହେଉଛି ପ୍ରକୃତିର ଅମୂଲ୍ୟ ସମ୍ପଦ। ବୃକ୍ଷ ମଣିଷକୁ ଅମ୍ଳଜାନ ପ୍ରଦାନ କରିବା ସହ ପରିବେଶର ସନ୍ତୁଳନ ରକ୍ଷା, ମୃତ୍ତିକା କ୍ଷୟ ରୋକିବା ଏବଂ ଜୀବଜଗତର ଅସ୍ତିତ୍ୱ ସୁରକ୍ଷିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ବର୍ତ୍ତମାନ ସମୟରେ ବନ୍ୟକ୍ଷୟ ଓ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ନାଗରିକ ବର୍ଷକୁ ଅତି କମରେ ଗୋଟିଏ ଚାରା ରୋପଣ କରି ତାହାର ଯତ୍ନ ନେବା ଉଚିତ।
ସମ୍ପାଦକ ନିରଞ୍ଜନ ବେହେରା କହିଥିଲେ ଯେ, କେବଳ ଚାରା ରୋପଣ କରିଦେଲେ ଦାୟିତ୍ୱ ସରିଯାଏ ନାହିଁ। ଚାରାଗୁଡ଼ିକ ବୃକ୍ଷରେ ପରିଣତ ହେବା ପର୍ଯ୍ୟନ୍ତ ତାହାର ସୁରକ୍ଷା ଓ ନିୟମିତ ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ। ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷରୋପଣ ସମ୍ପର୍କିତ ସଚେତନତା ସୃଷ୍ଟି କରାଗଲେ ସେମାନେ ଭବିଷ୍ୟତରେ ପରିବେଶ ସୁରକ୍ଷାର ଦାୟିତ୍ୱ ସଫଳତାର ସହ ବହନ କରିପାରିବେ।
କାର୍ଯ୍ୟକ୍ରମରେ ଉପସ୍ଥିତ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଓ ସମିତିର କର୍ମକର୍ତ୍ତାମାନେ ପରିବେଶ ସୁରକ୍ଷା ପାଇଁ ଚାରାରୋପଣକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ। ସେମାନେ କହିଥିଲେ ଯେ, ବିଶ୍ୱ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା ଓ ପ୍ରଦୂଷଣ ଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ ଓ ତାହାର ସଂରକ୍ଷଣ ହିଁ ଏକମାତ୍ର ବିକଳ୍ପ।
ଶେଷରେ ସମସ୍ତ ସଦସ୍ୟ ଏବଂ ଉପସ୍ଥିତ ବ୍ୟକ୍ତିବିଶେଷମାନେ ନିଜ ନିଜ ଅଞ୍ଚଳରେ ନିୟମିତ ଚାରାରୋପଣ କରି ସବୁଜ, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ଦିଗରେ ସମ୍ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ