



ସମ୍ବଲପୁର, ୧୯ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନାରେ ୧୫୧/ ୨୬ରେ ଏକ ଅପହରଣ ଓ ହତ୍ୟା ମାମଲା ରୁଜୁ ହୋଇଛି। ମାମଲାର ସୂଚନାନୁଯାୟୀ ମହୁଲପାଲି ଥାନା ଅନ୍ତର୍ଗତ କୁସୁମୀ ମହୁଲଗୁଡ଼ା ଗ୍ରାମର ୪୭ ବର୍ଷିୟ ମନୋଜ ସା ତାଙ୍କର ୨୪ ବର୍ଷୀୟା ଝିଅ ସରିତା ସା'ଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ନେଇ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୁଚିଣ୍ଡା ଥାନା ଅନ୍ତର୍ଗତ ତେଲିକୁନ୍ଦାପୋଷି ଗ୍ରାମର ଅନିଲ ପ୍ରୁସେଠ ତାଙ୍କ ଝିଅଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଅପହରଣ କରିଥିବା ସହ ମୃତଦେହକୁ ଲୁଚାଇ ରଖିଥିବା ଏବଂ ଏଥିରେ ଅନ୍ୟ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ ଦର୍ଶାଇଥିଲେ। ତଦନ୍ତ ସମୟରେ ମୃତା ଯୁବତୀଙ୍କ ପ୍ରେମିକ ଭାବେ ଜଣାଶୁଣା ମୁଖ୍ୟ ଅଭିଯୁକ୍ତ ଅନିଲ ପ୍ରୁସେଠକୁ ପୋଲିସ ଅଟକ ରଖି ପଚରା ଉଚରା କରିଥିଲା। କିଛି ସାକ୍ଷୀଙ୍କ ଉପସ୍ଥିତିରେ ଅନୀଲ ବୟାନ ଆଧାରରେ ଜମନକିରା ଥାନା ଅନ୍ତର୍ଗତ ବଦ୍ରାମା ଜଙ୍ଗଲରୁ ସରିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିଥିଲେ। ଅଭିଯୁକ୍ତଙ୍କ ସୂଚନା ଆଧାରରେ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଚୁନରୀକୁ ମଧ୍ୟ ପୋଲିସ ଜବତ କରିଛି। ପୋଲିସ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ମୃତଦେହ ପଠାଇଥିବା ବେଳେ ରବିବାର ଦିନ ବ୍ଯବଛେଦ କରାଯାଇଛି। ଘଟଣାରେ ବ୍ୟବହୃତ ବୋଲେରୋ ଗାଡ଼ି ଚଳାଉଥିବା ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ଟିଲେଇମାଲତି ଗ୍ରାମର ଅଶୋକ କିସାନଙ୍କୁ ମଧ୍ୟ ପଚରାଉଚରା ପାଇଁ ପୋଲିସ ଅଟକ ରଖିଛି। ଜିଲ୍ଲା ଫରେନସିକ୍ ବିଜ୍ଞାନ ପରୀକ୍ଷାଗାର (ଡିଏଫ୍ଏସ୍ଏଲ୍), ସମ୍ବଲପୁରର ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ବୈଜ୍ଞାନିକ ଓ ଭୌତିକ ପ୍ରମାଣ ସଂଗ୍ରହ କରିଥିବା ଜଣାପଡିଛି ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ