ରମ୍ପେଲା ଇବ୍ ବ୍ରିଜରେ ଦିନବେଳା ଭାରୀ ଯାନ ଚଳାଚଳ ବନ୍ଦ, ଜୁଲାଇ ୩୧ ପର୍ଯ୍ୟନ୍ତ କଟକଣା
Restriction on rengali rampela bridge
ରମ୍ପେଲା ଇବ୍ ବ୍ରିଜରେ ଦିନବେଳା ଭାରୀ ଯାନ ଚଳାଚଳ ବନ୍ଦ, ଜୁଲାଇ ୩୧ ପର୍ଯ୍ୟନ୍ତ କଟକଣା


ଝାରସୁଗୁଡ଼ା, 19 ଜୁଲାଇ (ହି.ସ.) ସାଧାରଣ ଲୋକଙ୍କ ସୁରକ୍ଷା, ଯାତାୟାତ ବ୍ୟବସ୍ଥାର ସୁଧାର ଏବଂ ଟ୍ରାଫିକ୍ ଜାମ୍ ସମସ୍ୟାର ସମାଧାନ ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ରମ୍ପେଲା ଇବ୍ ବ୍ରିଜ୍ ଉପରେ ଦିନବେଳା ଭାରୀ ଯାନ ଚଳାଚଳ ଉପରେ କଟକଣା ଜାରି କରିଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କୁଣାଲ ମୋତିରାମ ଚହ୍ୱାଣ ମୋଟର ଯାନ ଅଧିନିୟମ–୧୯୮୮ର ଧାରା ୧୧୫ ଅନୁଯାୟୀ ଏହି ଆଦେଶ ଜାରି କରିଛନ୍ତି।

ଆଦେଶ ଅନୁଯାୟୀ ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରମ୍ପେଲା ଇବ୍ ବ୍ରିଜ୍ ଦେଇ ସମସ୍ତ ପ୍ରକାରର ଭାରୀ ମାଲବାହୀ ଯାନ, ମଲ୍ଟି-ଆକ୍ସେଲ୍ ଟ୍ରକ୍, ଟ୍ରେଲର ଓ ଅନ୍ୟାନ୍ୟ ଭାରୀ ବ୍ୟବସାୟିକ ଯାନ ଚଳାଚଳ ନିଷିଦ୍ଧ ରହିବ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଶୀଘ୍ର ନଷ୍ଟ ହେଉଥିବା ଦ୍ରବ୍ୟ ପରିବହନ କରୁଥିବା ଯାନଗୁଡ଼ିକୁ ଏହି କଟକଣାରୁ ଛାଡ଼ ଦିଆଯାଇଛି।

ଏହି ନିଷେଧାଦେଶ ଜୁଲାଇ ୧୮ରୁ ଜୁଲାଇ ୩୧ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ।

ଜିଲ୍ଲା ରୋଡ୍ ସେଫ୍ଟି କମିଟିର ସୁପାରିଶ ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରମ୍ପେଲା ଇବ୍ ବ୍ରିଜ୍ ଉପରେ ଦିନବେଳା ଅତ୍ୟଧିକ ଭାରୀ ଯାନ ଚଳାଚଳ ଫଳରେ ବାରମ୍ବାର ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଥିଲା। ଏହା ଯୋଗୁଁ ଆମ୍ବୁଲାନ୍ସ ସମେତ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେବା ସହ ସଡ଼କ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଯାଉଥିଲା। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି।

ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ଯେ, ଏହି ଆଦେଶକୁ ଉଲ୍ଲଂଘନ କରୁଥିବା ଯାନଚାଳକ କିମ୍ବା ମାଲିକଙ୍କ ବିରୋଧରେ ମୋଟର ଯାନ ଅଧିନିୟମ, ୧୯୮୮ ଓ ପ୍ରଚଳିତ ଆଇନ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande