
ଝାରସୁଗଡ଼ା, 19 ଜୁଲାଇ (ହି.ସ.) ବହୁ ଦିନର ଅପେକ୍ଷାରେ ଥିବା ବେଲପାହାଡ଼ ରେଳ ଓଭରବ୍ରିଜ୍ (ଆରଓବି) ପ୍ରକଳ୍ପର ନିର୍ମାଣ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟ ବିଭାଗ ପକ୍ଷରୁ ପୁଣିଥରେ ଟେଣ୍ଡର ସର୍ତ୍ତାବଳୀରେ ସଂଶୋଧନ କରାଯାଇଛି। ଇଞ୍ଜିନିୟର-ଇନ୍-ଚିଫ୍ (ସିଭିଲ୍), ଓଡ଼ିଶାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସର୍ବଶେଷ ବିଜ୍ଞପ୍ତି ଅନୁଯାୟୀ, ଟେଣ୍ଡର ଦାଖଲର ଶେଷ ତାରିଖକୁ ଆସନ୍ତା ଅଗଷ୍ଟ ୧୨ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ପାଇଁ ପ୍ରଥମ ଟେଣ୍ଡର ବିଜ୍ଞପ୍ତି ଚଳିତ ବର୍ଷ ମେ' ୩୦ରେ ପ୍ରକାଶ ପାଇଥିଲା। ପରେ ଜୁନ୍ ୧୮ରେ ପ୍ରଥମ ସଂଶୋଧନ ଏବଂ ଜୁଲାଇ ୧୭ରେ ଦ୍ୱିତୀୟ ସଂଶୋଧନ ଜାରି କରାଯାଇ ଟେଣ୍ଡର ପ୍ରକ୍ରିୟାର କିଛି ସର୍ତ୍ତ ଓ ସମୟସୀମାରେ ପରିବର୍ତ୍ତନ କରାଯାଇଛି।
ବେଲପାହାଡ଼ ସହରର ଲେଭେଲ କ୍ରସିଂ ନଂ–୨୬୮ ନିକଟରେ ଝାରସୁଗୁଡ଼ା–ବେଲପାହାଡ଼ ରେଳପଥ ଉପରେ ପ୍ରସ୍ତାବିତ ଏହି ରେଳ ଓଭରବ୍ରିଜ୍ର ମୋଟ ଲମ୍ବ ୭୨୭.୮୦ ମିଟର ହେବ। ଏହା ସହ ୨୮୯.୪୪ ମିଟର ଲମ୍ବର ଆପ୍ରୋଚ୍ ରୋଡ୍ ନିର୍ମାଣ ମଧ୍ୟ କରାଯିବ। ପ୍ରକଳ୍ପ ପାଇଁ ପ୍ରାୟ ୮୪.୮୮ କୋଟି ଟଙ୍କା ବ୍ୟୟ ଧାର୍ଯ୍ୟ ହୋଇଥିବାବେଳେ ୩୦ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଝାରସୁଗୁଡ଼ା ରୋଡ୍ ଓ ବ୍ରିଜ୍ ଡିଭିଜନ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
ସର୍ବଶେଷ ସଂଶୋଧନ ଅନୁସାରେ, ପ୍ରି-ବିଡ୍ ବୈଠକ ଜୁଲାଇ ୨୪ ତାରିଖ ଦିନ ୧୨ଟା ୩୦ ମିନିଟରେ ଅନୁଷ୍ଠିତ ହେବ। ଅନ୍ଲାଇନ୍ ଟେଣ୍ଡର ଦାଖଲର ଶେଷ ତାରିଖ ଅଗଷ୍ଟ ୧୨ ସନ୍ଧ୍ୟା ୫ଟା ଧାର୍ଯ୍ୟ କରାଯାଇଥିବାବେଳେ ଟେକ୍ନିକାଲ୍ ବିଡ୍ ଅଗଷ୍ଟ ୧୩ ତାରିଖ ଅପରାହ୍ନ ୩ଟାରେ ଖୋଲାଯିବ।
ବେଲପାହାଡ଼ର ରେଳ ଫାଟକରେ ବାରମ୍ବାର ଟ୍ରେନ୍ ଚଳାଚଳ ଯୋଗୁଁ ଦୀର୍ଘ ସମୟ ଧରି ଯାତାୟାତ ବାଧା ସୃଷ୍ଟି ହେଉଛି। ଏପରି ସ୍ଥିତିରେ ରେଳ ଓଭରବ୍ରିଜ୍ ନିର୍ମାଣ ହେଲେ ସହରରେ ଯାତାୟାତ ଅଧିକ ସୁଗମ ହେବା ସହ ଦୁର୍ଘଟଣାର ଆଶଙ୍କା କମିବ। ସେହିପରି ଶିଳ୍ପାଞ୍ଚଳ ସହ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଅଧିକ ସୁଦୃଢ଼ ହେବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ