
ବଲାଙ୍ଗୀର, ୧୯ ଜୁଲାଇ(ହି.ସ.) – ଗନ୍ଧମାର୍ଦ୍ଦନ ଜୈବ ବିବିଧତାର ସୁରକ୍ଷା ସମୟର ଆହ୍ୱାନ। ଜନଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏହି ପର୍ବତମାଳାରୁ ବାହାରି ଥିବା ଶତାଧିକ ଝରଣା ତଥା ଜଳ ଜମି ଜଙ୍ଗଲର ସୁରକ୍ଷା ପାଇଁ ସାମଗ୍ରୀକ ଏକତା ଆବଶ୍ୟକ। ଶିଳ୍ପ ବିକାଶ ଆଳରେ ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ସାଂସ୍କୃତିକ ତଥା ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ଅଂଚଳରେ ଖଣି ଖନନର ମସୁଧା ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଛି। ଜିଲ୍ଲା ଲେଖକ ପରିଷଦ ବଲାଙ୍ଗିର ଆନୁକୂଲ୍ୟରେ ହରିଶଙ୍କର ପର୍ଯ୍ୟଟନସ୍ଥଳୀ ଠାରେ ‘ଭାବର୍ ଭୂଇଁ ଗନ୍ଧମାର୍ଦ୍ଦନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ଜୟକୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ସମ୍ପାଦକ ତଥା କୋଶଳୀ କବି ସୁଶାନ୍ତ କୁମାର ବାଗ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଉପସଭାପତି ବରିଷ୍ଠ ଅଧିବକ୍ତା ଆଶିଷ ଚନ୍ଦନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଆଲୋଚକ ଭାବେ ଆଦିବାସୀ ସଂସ୍କୃତି ଗବେଷକ ଅଜିତ କୁମାର ଭୋଇ, ଗୋରଖନାଥ ସାହୁ, ଡଃ. ଗୋବର୍ଦ୍ଧନ ନାଏକ, କୋଶଲବାଦୀ ନେତା ସୁଶିଲ ଗୁରୁ ଉପସ୍ଥିତ ଥିବା ବେଳେ ସାମାଜିକ କାର୍ଯ୍ୟକର୍ତା ମୃତ୍ୟୁଞ୍ଜୟ କୁମାର ସଭା ସଂଯୋଜନା କରିଥିଲେ। କବି ହେମନ୍ତ ଦଳପତି ପ୍ରତିରୋଧ କାହିଁକି ଆବଶ୍ୟକ ସେ ବିଷୟରେ କହିଥିଲେ। କବି ଭିକାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ସଂଯୁକ୍ତା ପରିଚ୍ଛାଙ୍କ ଅଧ୍ୟକ୍ଷତାରେ କବିତା ଆସର ଅନୁଷ୍ଠିତ ହୋଇଥିଲା। କବି ଅର୍ଜୁନ କୁମାର ସାହୁ, ସଂଯୁକ୍ତା ଚନ୍ଦନ ଓ ରତ୍ନମୟ ତ୍ରିପାଠୀ ସଂଯୋଜନା ଦାୟିତ୍ୱରେ ରହିଥିଲେ। ସୁବର୍ଣ୍ଣା ନାରୀ ଜାଗରଣ ମଂଚ ସୋନପୁରର ଆବାହିକା ମୀନା ମହାରଣା ଧନ୍ୟବାଦ ଦେଇଥିଲେ। ଧରମ ସିଂ ଧରୁଆ, ଗୁପ୍ତେଶ୍ୱର କୁଅଁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଂଚଳର ଅନେକ କବି ସ୍ୱରଚିତ କବିତାମାନ ପାଠ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ