
ପୁରୀ, ୧୯ ଜୁଲାଇ (ହି.ସ.)- ଗତକାଲି ଅତ୍ୟନ୍ତ ଶୃଙ୍ଖଳାର ସହ ଆଡପ ମଣ୍ଡପକୁ ବିଜେ କରିଛନ୍ତି କାଳିଆ ସାଆନ୍ତେ। କେବଳ କାଳିଆ ସାଆନ୍ତ ନୁହନ୍ତି। ବଡ ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ମଧ୍ୟ ଅତ୍ୟନ୍ତ ଶୃଙ୍ଖଳାର ସହ ଆଡପ ମଣ୍ଡପରେ ବିଜେ କରିଛନ୍ତି। ଶନିବାର ସଂଧ୍ୟାରେ ଚାରମାଳ ବନ୍ଧା ପରେ ରଥ ଉପରେ ନୀତି ସମ୍ପର୍ଣ୍ଣ ପରେ ଶ୍ରୀଜୀଉମାନଙ୍କୁ ପହଣ୍ଡି କରାଯାଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡଭାଇ ବଳଭଦ୍ର, ତା' ପରେ ମା ସୁଭଦ୍ରା ଓ ଶେଷରେ ବିଶ୍ବ ନିୟନ୍ତା କାଳିଆ ଠାକୁର ଟାହିଆ ଲଗାଇ, ବାମ ଡାହାଣକୁ ଝୁଲି ଝୁଲି ଚାରମାଳରୁ ତଳକୁ ଓହ୍ଲାଇ ଥିଲେ। ସମସ୍ତ ଠାକୁରଙ୍କ ମସ୍ତକରେ ଟାହିଆ ଲଗାଯିବା ପରେ ସେମାନଙ୍କୁ ପହଣ୍ଡିରେ ଜନ୍ମ ବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପକୁ ବିଜେ କରାଯାଇଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ପହଣ୍ଡିର ଚମତ୍କାର ଦୃଶ୍ୟକୁ ଦେଖି ବିମୋହିତ ହୋଇ ପଡିଥିଲେ। ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଥିଲା ରଥସ୍ଥଳ। ଗତକାଲି ଅଧିକ ସମୟ ମହାପ୍ରଭୁ ରଥରେ ବିରାଜମାନ କରିଥିବାରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ। କାରଣ ଅଧିକ ସମୟ ଠାକୁରମାନେ ରଥରେ ରହିଥିବାରୁ ଦୂରରୁ ଆସିଥିବା ଭକ୍ତ ମାନେ ମନଭରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ରଥଯାତ୍ରା ପୂର୍ବ ରାତିରୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବା ବେଳେ ଗତକାଲି କିନ୍ତୁ ପାଗ ବେଶ ସୁନ୍ଦର ଥିଲା। ସମସ୍ତ ଭକ୍ତ ଏହି ସୁନ୍ଦର ପାଗର ଆନନ୍ଦ ନେଇ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ।
ସରକାରଙ୍କ ନିର୍ଦ୍ଦେଶ ଓ ପ୍ରଶାସନର ସହଯୋଗରେ ସମସ୍ତ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇଥିବା ବେଳେ ନୀତିକାନ୍ତି ମଧ୍ୟ ସଠିକ ଭାବେ ପରିଚାଳିତ ହୋଇଥିଲା। ଆଜି ସକାଳ ୧୦ଟା ଠାରୁ ମହାପ୍ରଭୁ ଆଡପ ମଣ୍ଡପରୁ ଦର୍ଶନ ଦେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ବିଜୟ