
ସୁବର୍ଣପୁର, ୧୯ ଜୁଲାଇ (ହି.ସ.)- ସୋନପୁର ବଡ଼ବଜାର ଗୁଣ୍ଡିଚା ମନ୍ଦିର ଠାରେ ଚତୁଦ୍ଧାମୂର୍ତ୍ତି ଭକ୍ତଙ୍କୁ ଗତକାଲି ବରାହ ଓ ନୃସିଂହ ବେଶରେ ଦର୍ଶନ ଦେଇଛନ୍ତି । କଥାରେ ଅଛି ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ ମହାପୁଣ୍ୟ ଓ ଫଳ ପ୍ରାପ୍ତି ଅଟେ 1
ପୌରାଣିକ କଥାନୁସାରେ, ହିରଣ୍ଯାକ୍ଷ ନାମକ ଅସୁର ପୃଥିବୀକୁ ସମୁଦ୍ର ଗର୍ଭକୁ ନେଇଯିବା ପରେ ଭଗବାନ ବିଷ୍ଣୁ ବରାହ ଅବତାର ଧାରଣ କରି ପୃଥିବୀକୁ ଉଦ୍ଧାର କରିଥିଲେ। ଏହି ଅବତାର ସୃଷ୍ଟିରକ୍ଷା ଓ ଧର୍ମ ପ୍ରତିଷ୍ଠାର ପ୍ରତୀକ। ସେହିପରି ହିରଣ୍ୟକଶିପୁଙ୍କ ଅତ୍ୟାଚାରରୁ ଭକ୍ତ ପ୍ରହ୍ଲାଦଙ୍କୁ ରକ୍ଷା କରିବା ପାଇଁ ପ୍ରଭୁ ନୃସିଂହ ଅବତାର ଧାରଣ କରି ଅଧର୍ମର ବିନାଶ ଏବଂ ଭକ୍ତିର ବିଜୟର ବାର୍ତ୍ତା ପ୍ରଦାନ କରିଥିଲେ। ଆଡ଼ପ ମଣ୍ଡପରେ ଏହି ଦୁଇ ଅବତାର ଦର୍ଶନ ଭକ୍ତିମାନଙ୍କୁ ଧର୍ମ, ସତ୍ୟ ଓ ଭକ୍ତିର ପଥରେ ଅଗ୍ରସର ହେବାକୁ ପ୍ରେରଣା ଦେଉଛି।
ମାନ୍ୟତା ରହିଛି ଯେ, ଜନ୍ମବେଦୀରେ ପ୍ରଭୁଙ୍କ ଦର୍ଶନ ସହ ବ୍ରାହ୍ମଣଙ୍କୁ ପ୍ରସାଦ ସେବନ କରାଇଲେ ପୁଣ୍ୟଫଳ ଲାଭ ହୋଇଥାଏ। ଏହି ଅବସରରେ ବଡ଼ବଜାର 'ଗୁଣ୍ଡିଚା ରଥଯାତ୍ରା ସାଂସ୍କୃତିକ କମିଟି' ପକ୍ଷରୁ ଗୁଣ୍ଡିଚା ମନ୍ଦିର ଠାରେ ସନ୍ଧ୍ୟା ସମୟରୁ ରାତି ପର୍ଯ୍ୟନ୍ତ ପ୍ରତ୍ୟହ ସୁନ୍ଦର ଓ ଆକର୍ଷଣୀୟ ଭଜନ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ସହିତ ଭଜନ କାର୍ଯ୍ୟକ୍ରମର ମଜା ନେଇଥିଲେ । ଗତକାଲିର ସାଂସ୍କୃତିକ କାର୍ଯ୍ୟକ୍ରମ ସୋନପୁରର ପଦ୍ମମାଧବ ଭଜନ ସନ୍ଧ୍ୟା ପକ୍ଷରୁ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିଥୁ ରୂପେ ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧୂକାରୀ ଡ. ସୌମ୍ୟାରୂପା ରଥ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । ସେହିପରି ବୃନ୍ଦାବନ ମନ୍ଦିରରେ ମଧ୍ୟ ପ୍ରଭୁ ଜଗନ୍ନାଥ ବରାହ ଅବତାରରେ ଭକ୍ତିମାନଙ୍କୁ ଦର୍ଶନ ଦେଉଥିବା ବେଳେ ବଡ଼ଠାକୁର ପ୍ରଭୁ ଦଧୂବାମନ ମଝିପଡା ଠାରେ ବରାହ ଓ ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଓ ଥନାପତି ପଡାରେ ମଧ୍ୟ ଶ୍ରଦ୍ଧାଳୁ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଲୀଳା ଦର୍ଶନ ଲାଭ କରୁଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ