
ଚମ୍ପୁଆ, ୦୨ ଜୁଲାଇ (ହି.ସ.) - ତାଲୁକ୍ ଆଇନ୍ ସେବା କମିଟି, ଚମ୍ପୁଆ ପକ୍ଷରୁ ଆଜି ୭୭ତମ ବନ ମହୋତ୍ସବ ସପ୍ତାହ ଉତ୍ସବ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚମ୍ପୁଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଚାର ବିଭାଗୀୟ ଅଧିକାରୀ, କୋର୍ଟ କର୍ମଚାରୀ, ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ୪୦ରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ମୂଲ୍ୟବାନ ଗଛ ଲଗାଯାଇଥିବା ନେଇ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ତାଲୁକ୍ ଆଇନ୍ ସେବା କମିଟିର ଅଧ୍ୟକ୍ଷ ପ୍ରଣୟ କୁମାର ଦାସ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସବଜଜ୍ ଜୀତେନ୍ଦ୍ର ଦାସ, ଏସ୍.ଡି.ଜେ.ଏମ୍ ସାଧନଜୀତ୍ ପଣ୍ଡା, ଚମ୍ପୁଆ ଓକିଲ ସଂଘ ସଭାପତି ହରେକୃଷ୍ଣ ମିଶ୍ର ଏବଂ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ଚମ୍ପୁଆ ଉପଖଣ୍ଡ ରେଞ୍ଜର ଅକ୍ଷୟ କୁମାର ଚ୍ଛତ୍ରୀଆ, ବନପାଳ ଜ୍ୟୋତିରୂପା ପାଣି, ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମୁର୍ମୁ, ଆଇନଜୀବୀ ବିଷ୍ଣୁ ଚରଣ ରାଠୋର, କମିଟିର ସହକାରୀ ଅବଦୁଲ୍ ସୁରଜ୍ ଖାନ୍, ସ୍ୱେଚ୍ଛାସେବୀ ରାମକୃଷ୍ଣ ଜୀତ୍ ପ୍ରମୁଖ ଉପସ୍ଥିତ ରହି ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ନିଜ ହାତରେ ଚାରା ରୋପଣ କରିଥିଲେ। ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ କମିଟି ପକ୍ଷରୁ ନିଆଯାଇଥିବା ଏହି ପ୍ରୟାସକୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta