ହୀରାକୁଦ ବୁଡ଼ି ଜମିରେ ଧାନ କ୍ରୟକୁ ନେଇ ତେଜିଲା ଅସନ୍ତୋଷ, ବିନା ସର୍ତ୍ତରେ କ୍ରୟ ପାଇଁ ଚାଷୀଙ୍କ ଦାବି
Farmers are unhappy
ହୀରାକୁଦ ବୁଡ଼ି ଜମିରେ ଧାନ କ୍ରୟକୁ ନେଇ ତେଜିଲା ଅସନ୍ତୋଷ, ବିନା ସର୍ତ୍ତରେ କ୍ରୟ ପାଇଁ ଚାଷୀଙ୍କ ଦାବି


ଝାରସୁଗୁଡା, ୪ ଜୁଲାଇ (ହି.ସ.)- ହୀରାକୁଦ ଜଳଭଣ୍ଡାରର ବୁଡ଼ି ଅଞ୍ଚଳରେ ଚାଷ କରୁଥିବା ଚାଷୀଙ୍କଠାରୁ ଧାନ କ୍ରୟ ପୂର୍ବରୁ ଏକ ଘୋଷଣାପତ୍ରରେ ଦସ୍ତଖତ ନେବାକୁ ନେଇ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ଅସନ୍ତୋଷ ଦେଖାଦେଇଛି। ଯୋଗାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ଘୋଷଣାପତ୍ରରେ ଆଗାମୀ ବର୍ଷଠାରୁ ସରକାରୀ ଜମି କିମ୍ବା ହୀରାକୁଦ ବୁଡ଼ି ଅଞ୍ଚଳରେ ଧାନ ଚାଷ କରି ସମବାୟ ସମିତି ମାଧ୍ୟମରେ ବିକ୍ରି ପାଇଁ ଅନୁରୋଧ କରିବେ ନାହିଁ ବୋଲି ଉଲ୍ଲେଖ ରହିଥିବାରୁ ଚାଷୀମାନେ ଏହାକୁ ସେମାନଙ୍କ ଜୀବିକା ଉପରେ ଆଘାତ ବୋଲି ଅଭିଯୋଗ କରିଛନ୍ତି।

ଏହି ସର୍ତ୍ତମୂଳକ ଘୋଷଣାପତ୍ରକୁ ବିରୋଧ କରି କେଦାର ଭୋଇ, ଶିବୁ ପ୍ରଧାନ, କୃଷ୍ଣଚନ୍ଦ୍ର ବଗାର, ଈଶ୍ୱର ବନିଆ ଓ ଯଶୋବନ୍ତ ଭୋଇଙ୍କ ସମେତ ବହୁ ବୁଡ଼ି ଅଞ୍ଚଳର ଚାଷୀ ଶନିବାର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀମାନଙ୍କ କହିବା ଅନୁସାରେ, ହୀରାକୁଦ ବନ୍ଧ ନିର୍ମାଣ ପରଠାରୁ ପିଢ଼ି ପରେ ପିଢ଼ି ସେମାନେ ବୁଡ଼ି ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏପରି ସ୍ଥିତିରେ ସରକାରଙ୍କ ଏଭଳି ଘୋଷଣା ସେମାନଙ୍କ ଜୀବିକା ସହ ଆଗାମୀ ପିଢ଼ିର ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଚାଷୀମାନେ ଏହି ଘୋଷଣାପତ୍ରକୁ ପ୍ରତ୍ୟାହାର କରିବା ସହ ପୂର୍ବବର୍ଷଗୁଡ଼ିକ ଭଳି ବିନା କୌଣସି ସର୍ତ୍ତରେ ପ୍ରତିବର୍ଷ ବୁଡ଼ି ଜମିର ଧାନ କ୍ରୟ କରିବାକୁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଜଙ୍ଗଲ ଓ ସରକାରୀ ଜମି ଜବରଦଖଲ ଭଳି ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ଉପରେ କଠୋର ପଦକ୍ଷେପ ନିଆଯାଉ ନଥିବାବେଳେ କେବଳ ବୁଡ଼ି ଅଞ୍ଚଳର ଗରିବ ଚାଷୀଙ୍କ ଉପରେ ଏଭଳି ସର୍ତ୍ତ ଲାଗୁ କରାଯିବା ଅନ୍ୟାୟ ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଦୁର୍ଗା ଚରଣ ବେସ୍ରାଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗର ପ୍ରୟାସ କରାଯାଇଥିଲେ ମଧ୍ୟ ତାଙ୍କ ସହ ସମ୍ପର୍କ ସ୍ଥାପନ ହୋଇପାରି ନଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande