ମଚିଦା ହାଇସ୍କୁଲରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ
Electric safety week observed
Electric safety


ମଚିଦା ହାଇସ୍କୁଲରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ

ଝାରସୁଗୁଡ଼ା, 02 ଜୁଲାଇ (ହି.ସ.)ଲଖନପୁର ବ୍ଲକ ଅନ୍ତର୍ଗତ ମଚିଦା ସରକାରୀ ହାଇସ୍କୁଲ ପରିସରରେ ଆଜି ‘ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ-୨୦୨୬’ ବେଶ୍ ଉତ୍ସାହର ସହ ପାଳିତ ହୋଇ ଯାଇଛି। ବିଦ୍ୟୁତର ନିରାପଦ ବ୍ୟବହାର ଏବଂ ସମ୍ଭାବ୍ୟ ଦୁର୍ଘଟଣାରୁ ରକ୍ଷା ପାଇବା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାନନ୍ଦ ଦିହିରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧିକ୍ଷଣ ଯନ୍ତ୍ରୀ ଅନୁରାଧା ଲାକ୍ରା ଯୋଗଦେଇ ବିଦ୍ୟୁତ ସୁରକ୍ଷା ସପ୍ତାହର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଆଧୁନିକ ଯୁଗରେ ବିଦ୍ୟୁତ ବିନା ଜୀବନ ଧାରଣ ଅସମ୍ଭବ, ମାତ୍ର ସାମାନ୍ୟ ଅସାବଧାନତା ବଡ଼ ଧରଣର ଦୁର୍ଘଟଣାକୁ ଆମନ୍ତ୍ରଣ କରିପାରେ। ତେଣୁ ଘରେ, ବିଦ୍ୟାଳୟରେ ଏବଂ ବାହାରେ ବିଦ୍ୟୁତ ଉପକରଣ ବ୍ୟବହାର କରିବା ବେଳେ ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ତାଙ୍କ ସହଯୋଗୀ କଳ୍ପନା ଓ କମଳା ମ୍ୟାଡମ୍ ମଧ୍ଯ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟୁତ ସମ୍ବନ୍ଧୀୟ ବ୍ୟବହାରିକ ସଦ ଉପଦେଶ ଦେଇଥିଲେ । ବିଦ୍ୟୁତ ତାରକୁ ହାତରେ ନ ଛୁଇଁବା, ଓଦା ହାତରେ ସୁଇଚ୍ ବୋର୍ଡ ସ୍ପର୍ଶ ନ କରିବା ଏବଂ ଘରର ବୈଦ୍ୟୁତିକ ସରଞ୍ଜାମ ଗୁଡ଼ିକର ରକ୍ଷଣାବେକ୍ଷଣ କିପରି କରାଯିବ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ବିଦ୍ୟୁତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।

କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ନମିତାରାଣୀ ପ୍ରଧାନ, ସୁନିତା ବେହେରା, ଯମୁନା ବିଶ୍ବାଳ, ଡୋଲାମଣି ସାହୁ, ଦୀପକ ସା, ଚୈତନ୍ୟ ମେହେର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏଥି ସହିତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ଅଭିଭାବକ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ବିପ୍ଲବ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande