
ମାଲକାନଗିରି,୨ ଜୁଲାଇ (ହି.ସ.) କାଲିମେଳା ପଞ୍ଚାୟତ ସମିତି ଅଧୀନ ବେହେରାଗୁଡ଼ା ବିଦ୍ୟାଳୟର ସହାୟକ ଶିକ୍ଷକ ଦୁର୍ଗା ରାଓ ଦୁଆରୀଙ୍କ ଅବସର ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ଭାବବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ବେହେରାଗୁଡ଼ା ୱାର୍ଡ ସଦସ୍ୟ ପର୍ଶୁରାମ ଲୋଳିତ ଏବଂ ବେହେରାଗୁଡ଼ା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଘୁନାଥ ହନ୍ତାଳଙ୍କ ସମେତ ଗ୍ରାମର ବିଶିଷ୍ଟ ବ୍ୟକ୍ତିବିଶେଷ, ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ଶ୍ରୀ ଦୁଆରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।
ବକ୍ତାମାନେ କହିଥିଲେ ଯେ, ଶ୍ରୀ ଦୁର୍ଗା ରାଓ ଦୁଆରୀ ତାଙ୍କର ଦୀର୍ଘ ଶିକ୍ଷକତା ଜୀବନରେ ନିଷ୍ଠା, କର୍ତ୍ତବ୍ୟପରାୟଣତା, ମାନବିକତା ଓ ଛାତ୍ରଛାତ୍ରୀଙ୍କ ପ୍ରତି ଅକୃତ୍ରିମ ସ୍ନେହ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ ଏବଂ ସହକର୍ମୀଙ୍କ ସହ ତାଙ୍କର ମେଳାପୀ ସ୍ୱଭାବ ସମସ୍ତଙ୍କ ପାଇଁ ସଦା ସ୍ମରଣୀୟ ହୋଇ ରହିବ।
ବିଦାୟ ସମ୍ବର୍ଦ୍ଧନା ଅବସରରେ ବକ୍ତାମାନେ କହିଥିଲେ, କର୍ମ ହିଁ ଭଗବାନ ଏହି ଆଦର୍ଶକୁ ଶ୍ରୀ ଦୁଆରୀ ନିଜ କର୍ମଜୀବନରେ ସାର୍ଥକ ଭାବେ ପ୍ରତିଫଳିତ କରିଛନ୍ତି। ତାଙ୍କ ଅବସର ବିଦ୍ୟାଳୟ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଥିଲେ ମଧ୍ୟ, ତାଙ୍କର ସଫଳ କର୍ମଜୀବନ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମତ ପ୍ରକାଶ ପାଇଥିଲା।
ଶେଷରେ ସମସ୍ତ ଗ୍ରାମବାସୀ, ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକବୃନ୍ଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଶ୍ରୀ ଦୁର୍ଗା ରାଓ ଦୁଆରୀ ଏବଂ ତାଙ୍କ ପରିବାରର ସୁସ୍ଥ, ଦୀର୍ଘାୟୁ ଓ ଶାନ୍ତିମୟ ଅବସର ଜୀବନ କାମନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ