
ପଟ୍ଟାମୁଣ୍ଡାଇ , 02 ଜୁଲାଇ (ହି.ସ.) କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାର ପୂର୍ବତନ ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା ହାଇ କୋର୍ଟ ରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ମଇ ୨୫ ତାରିଖ ଦିନ ଥାନା ଭିତରେ ମାଆ ପୁଅଙ୍କୁ ଥାର୍ଡ ଡିଗ୍ରୀ ପ୍ରୟୋଗ କରି ଲହୁଲୁହାଣ କରିବା ଘଟଣାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଆଜି ଯାଏଁ ତାଙ୍କୁ ଗିରଫ କରାଯାଇନି। ତାଳଚୁଆ ସାମୁଦ୍ରିକ ଥାନାରେ କେସ ନମ୍ବର ୧୨୪/୨୦୨୬ ରେ ସନ୍ଧ୍ୟାରାଣୀ ଜେନାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା। ୨୯୬, ୭୪, ୧୧୫ , ୩୫୧ , ୩୦୮ ପ୍ରଭୁତି ସଙ୍ଗିନ ବିଏନଏସ ଦଫାରେ ମାମଲା ରୁଜୁ ହୋଇଥିଲା। ଗିରଫ ଆଶଙ୍କା କରି ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା ହାଇ କୋର୍ଟ ରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଚଳିତ ମାସ ୨୯ ତାରିଖ ଦିନ ହାଇ କୋର୍ଟ ରେ ତାଳଚୁଆ ସାମୁଦ୍ରିକ ଥାନାର କେସ ନମ୍ବର ୧୨୪/୨୦୨୬ ରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ଜଣାପଡିଛି। ନିଲମ୍ବିତ ଆଇଆଇସି ଶ୍ରୀମତୀ ଜେନାଙ୍କୁ ପୋଲିସ ଗିରଫ କରୁନଥିବା ବେଳେ ଆଗୁଆ ଜାମିନ ପାଇଁ ଆବେଦନ କରିବା ଘଟଣା ଚର୍ଚାର ବିଷୟ ହୋଇଛି।ବାରମ୍ବାର ପୋଲିସ ଶୃଙ୍ଖଳା ଭାଙ୍ଗୁଥିବା ଓ ୬ ବର୍ଷ ଭିତରେ ତିନି ତିନି ଥର ନୀଲମ୍ବନ ହୋଇଥିବା ପୋଲିସ ଅଧିକାରିଣୀଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି।
---------------
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ