ପ୍ରୋଜେକ୍ଟ 'ସମାହିତା': ସିଲେଇ ତାଲିମରୁ ମହୁମାଛି ଚାଷ
ସମାହିତା'' କର୍ମଶାଳାରେ ସ୍ଥାୟୀ ଜୀବିକା ଓ ଆତ୍ମନିର୍ଭର ଉପରେ ଆଲୋଚନା ଭୁବନେଶ୍ୱର, 02 ଜୁଲାଇ (ହି.ସ.) ଭୁବନେଶ୍ୱର ସ୍ଥିତ ହୋଟେଲ ଏକ୍ସଲେନ୍ସି ଠାରେ ପ୍ରୋଜେକ୍ଟ ''ସମାହିତା'' ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ସଫଳ ଅଭିଯାନ ସୂଚନା ଆଦାନପ୍ରଦାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରୋଜେକ୍
ପ୍ରୋଜେକ୍ଟ 'ସମାହିତା': ସିଲେଇ ତାଲିମରୁ ମହୁମାଛି ଚାଷ


'ସମାହିତା' କର୍ମଶାଳାରେ ସ୍ଥାୟୀ ଜୀବିକା ଓ ଆତ୍ମନିର୍ଭର ଉପରେ ଆଲୋଚନା

ଭୁବନେଶ୍ୱର, 02 ଜୁଲାଇ (ହି.ସ.) ଭୁବନେଶ୍ୱର ସ୍ଥିତ ହୋଟେଲ ଏକ୍ସଲେନ୍ସି ଠାରେ ପ୍ରୋଜେକ୍ଟ 'ସମାହିତା' ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ସଫଳ ଅଭିଯାନ ସୂଚନା ଆଦାନପ୍ରଦାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରୋଜେକ୍ଟଟି ୟୁରୋପୀୟ ସଂଘ ଦ୍ୱାରା ସହାୟତା ପ୍ରାପ୍ତ ଏବଂ ହ୍ୟାଣ୍ଡିକ୍ୟାପ୍ ଇଣ୍ଟରନ୍ୟାସନାଲ ସହିତ ଏକତା, ସାଧନା ଓ ଶାନ୍ତା ମେମୋରିଆଲ୍ ରିହାବିଲିଟେସନ୍ ସେଣ୍ଟରର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଛି । ଓଡ଼ିଶାର ୬ଟି ଜିଲ୍ଲାରୁ ଆସିଥିବା ସରକାରୀ ଅଧିକାରୀ, ସାମାଜିକ ସଂଗଠନ ଏବଂ ସମ୍ପ୍ରଦାୟର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।

ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇଥିବା ଅତିଥିମାନେ ସମାଜର ପଛୁଆ ଏବଂ ଭିନ୍ନକ୍ଷମ ବର୍ଗଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ସହ ସାମାଜିକ ସୁରକ୍ଷା ଯୋଜନାର ଲାଭ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ । କର୍ମଶାଳାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ହିତାଧିକାରୀମାନେ ସେମାନଙ୍କର ସଫଳତା କହିଥିଲେ । ଗଜପତିର ସ୍ୱଳ୍ପ ଶିକ୍ଷିତ ସୁଶିଲା ରୋଇତ ସିଲେଇ ତାଲିମ ନେଇ ଦୈନିକ ପ୍ରାୟ ୯୦୦ ଟଙ୍କା ରୋଜଗାର କରୁଛନ୍ତି । ସେହିପରି ଗଞ୍ଜାମର ଲିଲି ଗୌଡ଼ା ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଏକ ସାଙ୍କେତିକ ଭାଷା ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । କୋରାପୁଟ, ମୟୂରଭଞ୍ଜ ଏବଂ ପୁରୀର ପ୍ରତିନିଧିମାନେ ଜଙ୍ଗଲ ଅଧିକାର, ଗ୍ରାମ୍ୟ ରାସ୍ତା ନିର୍ମାଣ ଓ ଗୋଷ୍ଠୀ ସେବା କ୍ଷେତ୍ରରେ ସେମାନଙ୍କର ସଫଳ ଅଭିଯାନ ବିଷୟରେ ଜଣାଇଥିଲେ । ଏହି ଅବସରରେ ପ୍ରୋଜେକ୍ଟ ଅଧୀନରେ ହୋଇଥିବା ସଫଳ କାର୍ଯ୍ୟକ୍ରମଗୁଡ଼ିକୁ ନେଇ ଡକ୍ୟୁମେଣ୍ଟେସନ ଅଫ୍ ଗୁଡ୍ ପ୍ରାକ୍ଟିସେସ୍ ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ଓୟୁଏଟିର ପ୍ରମୁଖ ଗବେଷକ ଏବଂ ଏପିକୋଲର ଅଧିକାରୀ ଯୋଗଦେଇ ଓଡ଼ିଶାରେ ଜୈବିକ ମହୁମାଛି ଚାଷ, ଛେଳି ପାଳନ ଏବଂ କୃଷିଭିତ୍ତିକ ଶିଳ୍ପ ପାଇଁ ଥିବା ବିଭିନ୍ନ ସରକାରୀ ସହାୟତା ଓ ତାଲିମ ଯୋଜନା ବିଷୟରେ ସୂଚନା ଦେଇଥିଲେ । ଶେଷରେ ପ୍ରୋଜେକ୍ଟ 'ସମାହିତା' ପକ୍ଷରୁ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରାଯିବା ସହ ଏକ ସମାବେଶୀ ଓ ସମାନତା ଭିତ୍ତିକ ଓଡ଼ିଶା ଗଠନ ପାଇଁ ସଂକଳ୍ପ ଦୋହରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande